ଛାତ୍ରୀ ଅପହରଣ ମାମଲା : ସଂଧ୍ୟା ଓ ଗେଡ଼ାକୁ ଖୋଜୁଛି ପୁଲିସ

୩ ଭାଇଙ୍କ ସମେତ ଘର ମାଲିକ ଅଟକ

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡି ଅଞ୍ଚଳରୁ ୭ମ ଶ୍ରେଣୀ ଛାତ୍ରୀ ଅପହରଣ ଘଟଣାକୁ ଇତିମଧ୍ୟରେ ୪୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବାଲିଅନ୍ତା ପୁଲିସ କୌଣସି ଅପହରଣକାରୀଙ୍କୁ ଏଯାଏ ଗିରଫ କରିବାରେ ସଫଳ ହୋଇପାରିନି। ଅପହୃତ ଛାତ୍ରୀଙ୍କ ମା’ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଛାତ୍ରୀ ଅପହରଣ ଷଡ଼ଯନ୍ତ୍ର ନାଟକ ପଛରେ ଥିବା ମାଷ୍ଟର ମାଇଣ୍ଡ ହେଉଛନ୍ତି ସଂଧ୍ୟା ଓ ଗେଡ଼ା। ଦୁଇଦିନ ତଳେ ତାଙ୍କ ପରିବାର ସହିତ ହୋଇଥିବା ବିବାଦରେ ପ୍ରତିଶୋଧ ପରାୟଣ ହୋଇ ସଂଧ୍ୟା ରାଗ ସୁଝାଇବାକୁ ଯାଇ ଗେଡ଼ା ସହିତ ମିଶି ଏଭଳି କାଣ୍ଡ କରିଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଘଟଣାର ପଛରେ ଭିନ୍ନ କାରଣ ରହିଛି। ତେଣୁ ସେମାନେ ଗିରଫ ହେଲେ ଅସଲ ରହସ୍ୟ ଜଣାପଡ଼ିଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏଭଳି କ୍ଷେତ୍ରରେ ଅପହରଣକାରୀମାନଙ୍କୁ ଠାବ କରିବା ସହିତ ଅପହୃତା ଛାତ୍ରୀକୁ ଉଦ୍ଧାର କରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ତେଣୁ ପୁଲିସ ସଂଧ୍ୟା ଓ ଗେଡ଼ାକୁ ମୁଖ୍ୟ ଟାର୍ଗେଟ କରି ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ହେଁ ସେମାନଙ୍କୁ ଧରିବାରେ ସଫଳ ହୋଇପାରିନି।

ପ୍ରାପ୍ତ ସୂଚନାନୁଯାୟୀ ଅଭିଯୋଗକୁ ଭିତ୍ତି କରି ପୁଳିସର ସ୍ୱତନ୍ତ୍ର ଟିମ୍‌ ଗତକାଲି ପୂର୍ବାହ୍ନରେ ଚନ୍ଦନପୁର ଥାନା ଅନ୍ତର୍ଗତ ପାଟଗାଁ ଓ କଟକ ଜଗତ୍‌ପୁର ସମେତ ଗୋପ ଅଞ୍ଚଳରେ ସେମାନଙ୍କ ଆଡ଼ାରେ ଚଢ଼ଉ କରିଥିଲା। ହେଲେ ପୁଲିସ ସେଠାରୁ ଖାଲିହାତରେ ଫେରିଥିଲା। ଏପଟେ ବାଲିଅନ୍ତା ପୁଲିସ ଉକ୍ତ ବସ୍ତିର ଘର ମାଲିକ ଅଇଁଠା ଭୋଇ ଓ ତାଙ୍କ ଘରଭଡ଼ା ନେଇ ରହୁଥିବା ପୁରୀ ଅଞ୍ଚଳର ସଂପୃକ୍ତ ପରିବାରର ସଂଧ୍ୟାଙ୍କ ସ୍ୱାମୀ ପପୁ ଓରଫ ପ୍ରକାଶ ପ୍ରଧାନ (୪୫)ଙ୍କ ସମେତ ତାଙ୍କ ସାନ ଭାଇ ସୁରେଇ ପ୍ରଧାନ ଓ ରମେଶ ପ୍ରଧାନଙ୍କୁ ଥାନାରେ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖ ରାତି ପ୍ରାୟ ଗୋଟାଏ ସମୟରେ ସଂଧ୍ୟା ଓ ଗେଡ଼ାଙ୍କ ସହିତ ଅନ୍ୟ ଦୁଇଜଣ ଯୁବକ ବସ୍ତିରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିବା ସହ ଘରେ ପଶି ବଳପୂର୍ବକ ଏହି ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ ।

ସମ୍ବନ୍ଧିତ ଖବର