କାନ୍ଦିକାନ୍ଦି ବାପା କହୁଛନ୍ତି, ‘କପି କରୁଥିବା ବେଳେ ଧରାପଡ଼ିଯିବାରୁ ଜୀବନ ହାରିଦେଲା ପୁଅ, ସବୁକିଛି ଶେଷ ହୋଇଗଲା ସାର’
ନୂଆଦିଲ୍ଲୀ: ପରୀକ୍ଷାରେ କପି କରୁଥିବା ବେଳେ ଧରାପଡ଼ିଯିବାରୁ ଜଣେ ଛାତ୍ର ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାଟି ବରହି ହଜାରିବାଗ କୋନରାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସହିତ ଘଟିଛି। ମୃତ ଛାତ୍ରଙ୍କ ନାମ ରେହାନ ଅସରଫ ବୋଲି ଜଣାପଡ଼ିଛି।
ମୃତକ ରେହାନଙ୍କ ବାପା କହିଛନ୍ତି, ‘ମୋର ପୁଅ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିଲା। ଗତଶନିବାର ତାର ବାର୍ଷିକ ପରୀକ୍ଷା ଥିଲା। ପରୀକ୍ଷା ଦେବା ପାଇଁ ସେ ସ୍କୁଲକୁ ଯାଇଥିଲା। ପରୀକ୍ଷା ଚାଲିଥିବା ବେଳେ ସେ କପି କରୁଥିଲା। ଏହି ସମୟରେ ଶିକ୍ଷକ ତାକୁ ଧରି ନେଇଥିଲେ। ଏହାପରେ ପୁଅ ରେହାନ କପି କରୁଥିବା ବେଳେ ଧରାପଡ଼ି ଥିବା ନେଇ ସ୍କୁଲରୁ ଏକ ଫୋନ କଲ ମୋ ପାଖକୁ ଆସିଥିଲା।
ମୁଁ ସ୍କୁଲରେ ପହଞ୍ଚିବା ପୂର୍ବରୁ ରେହାନ ସ୍କୁଲ ବସରେ ଘରକୁ ପଳାଇ ଆସିଥିଲା। ଘରେ ପହଞ୍ଚିବା ପରେ ମୁଁ ଦେଖିଲି ସେ ଚୁପଚାପ ବସିଥିଲା। ମୁଁ ତାକୁ କିଛି ନକହି ଘରେ ପିଇବା ପାଣି ସରି ଯାଇଥିବାରୁ ପାଣି ଆଣିବା ପାଇଁ ବାହାରକୁ ଚାଲି ଯାଇଥିଲି। ଯେତେବେଳେ ପାଣି ନେଇ ଘରେ ପହଞ୍ଚିଥିଲି ପୁଅକୁ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲି। ଏହା ଦେଖି ମୋ ପାଦ ତଳୁ ମାଟି ଖସି ଯାଇଥିଲା। ଏହା ବାସ୍ତବରେ ଘଟିଛି ନା ମୁଁ ସ୍ବପ୍ନ ଦେଖୁଛି ବିଶ୍ବାସ କରି ପାରି ନଥଲି।
ପାଖପଡ଼ିଶାଙ୍କୁ ଡାକି କୌଣସି ପ୍ରକାରେ ରେହାନଙ୍କୁ ତଳକୁ ଆଣିଥିଲି। ଏହାପରେ ହସ୍ପିଟାଲ ନେଇ ଯାଇଥିଲି। କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା। ରେହାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ ରେହାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ମୁଁ ଏହି ଘଟଣାରେ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି। ’