ଭୋପାଳରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ୪ ପୁଲିସ ଅଧିକାରୀ ନିଲମ୍ବିତ

ଫାଷ୍ଟ୍‍ ଟ୍ରାକ୍‌ କୋର୍ଟରେ ମାମଲାର ବିଚାର ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ସବୁଠୁ ବ୍ୟସ୍ତପୂର୍ଣ୍ଣ ରାସ୍ତାରେ ଜଣେ ୧୯ ବର୍ଷୀୟା ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେବା ଆଲୋଡ଼ନ ସୃଷ୍ଟି କରିଛି। ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ପୀଡ଼ିତା ଜଣକ ଗତ ମଙ୍ଗଳବାର ସନ୍ଧ୍ୟା ୭ଟାରେ କୋଚିଂ କ୍ଲାସରୁ ଘରକୁ ଫେରୁଥିବା ବେଳେ ୪ଜଣ ନରରୂପୀ ରାକ୍ଷସଙ୍କ ହାବୁଡ଼ରୁ ବର୍ତ୍ତିପାରିନାହାନ୍ତି। ତେବେ ପରିତାପର ବିଷୟ, ଏନେଇ ପୁଲିସରେ ସେ ଏତଲା କରିବାକୁ ଯାଇଥିଲେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତିନି ତିନିଟି ଥାନାରେ ତାଙ୍କ ଏତଲାକୁ ଗ୍ରହଣ କରାଯାଇନଥିଲା। ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଥିବା ନେଇ ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିଜେପି ସରକାରରେ ଏପରି ନାରୀ ନିର୍ଯାତନାକୁ ବିରୋଧୀ କଂଗ୍ରେସ ଦଳ ଅସ୍ତ୍ର କରି ଆନ୍ଦୋଳନକୁ ଓହ୍ଲାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏମ୍‌ପି ନଗର, ହବିବଗଞ୍ଜ ଏବଂ ଜିଆର୍‌ପି ଥାନାର ୩ ଜଣ ଇନ୍ସପେକ୍ଟର ଏବଂ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ନିଲମ୍ବନ କରାଯାଇଛି। ସେହିପରି ସିଟି ଏସ୍‌ପିଙ୍କୁ ମଧ୍ୟ ବଦଳି କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ଘଟଣାର ଫାଷ୍ଟ୍‍ ଟ୍ରାକ୍‌ କୋର୍ଟରେ ବିଚାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ପୀଡ଼ିତା ଚିହ୍ନଟ କରି ସାରିଛନ୍ତି। ସେମାନେ ସ୍ଥାନୀୟ ଅଞ୍ଚଳର ଗୋଲୁ, ଅମର ଘୁଣ୍ଟୁ, ରାଜେଶ ଏବଂ ରମେଶ ବୋଲି ଜଣାଯାଇଛି। ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି।

ସବୁଠୁ ବିସ୍ମୟକର କଥା ହେଲା, ଉକ୍ତ ପିଡ଼ିତାଙ୍କ ବାପା ଜଣେ ରେଳବାଇ ପୁଲିସ ବଳର ଏଏସ୍‌ଆଇ ଏବଂ ମା’ ସିଆଇଡିରେ କାର୍ଯ୍ୟରତ। ଗତ ମଙ୍ଗଳବାର ସନ୍ଧ୍ୟାରେ ପ୍ରାଶାସନିକ ସେବା ଆଶାୟୀ ଛାତ୍ରୀ ଜଣକ ଚାଲି ଚାଲି କୋଚିଂ ସେଣ୍ଟରରୁ ନିଜ ଘରକୁ ଫେରୁଥିଲେ। ଅଭିଯୁକ୍ତ ଗୋଲୁ ତାଙ୍କୁ ପ୍ରଥମେ ଟାଣିନେଇଥିଲା। ପୀଡ଼ିତା ଜଣକ ଏହାର ପ୍ରତିରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ତା’ର ସହଯୋଗୀ ଅମରକୁ ଡାକି ତାଙ୍କୁ ପଥରରେ ଛେଚିବା ସହ ବାନ୍ଧିପକାଇ ଦୁଷ୍କର୍ମ କରିଥିଲା। ଏହାପରେ ସେ ଅମରକୁ ଜଗାଇ ଗୁଟ୍‌କା ସିଗାରେଟ୍‌ ପାଇଁ ଯାଇଥିଲା। ପରେ ଫେରିବା ବେଳେ ଆଉ ଦୁଇଜଣ ସହଯୋଗୀ ରାକ୍ଷସ ରାଜେଶ ଏବଂ ରମେଶଙ୍କୁ ସାଙ୍ଗରେ ଧରି ଆଣିଥିଲା। ସମସ୍ତ ୪ ଜଣ ଯାକ ପୀଡ଼ିତାଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ଫିଙ୍ଗିଦେଇଥିଲେ। ଘଟଣାଟି ହବିବ୍‌ଗଞ୍ଜ ଷ୍ଟେସନଠାରୁ ମାତ୍ର ୧୦୦ ମିଟର ଦୂରରେ ଆର୍‌ପିଏଫ୍‌ ପୋଷ୍ଟ୍‍ଠାରୁ ମାତ୍ର ୫୦ ମିଟର ଦୂରରେ ଘଟିଥିଲେ ହେଁ ସେହି ସମୟରେ କୌଣସି ପୁଲିସ କର୍ମଚାରୀଙ୍କ ସେହି ଇଲାକାରେ ପାଦପଡ଼ିନଥିଲା। ପୀଡ଼ିତା ଜଣଙ୍କ ଅତି କଷ୍ଟରେ ସେଠାରୁ ନିଜ ଘରେ ପହଞ୍ଚିବା ପରେ ନିଜ ବାପା ମା’ଙ୍କୁ ସବୁକଥା କହିଥିଲେ। ବାପା ମା’ ଝିଅକୁ ଧରି ବିଭିନ୍ନ ଥାନାକୁ ଯାଇଥିଲେ ହେଁ କେହି ଏତଲା ରଖିନଥିଲେ। ସେ ଥାନାକୁ ଯାଅ, ଘଟଣା ଆମ ଥାନା ଅଧୀନରେ ଯାଉନାହିଁ କହି ସମସ୍ତେ ଫେରାଇ ଦେଇଥିଲେ। ତେବେ ଶେଷରେ ନିଜେ ପୀଡ଼ିତା ଦୁଇ ଅଭିଯୁକ୍ତଙ୍କୁ ଦେଖି ଚିହ୍ନିବା ପରେ ସେମାନଙ୍କୁ ତାଙ୍କ ବାପା ମା’ ହବିବଗଞ୍ଜ ଜିଆର୍‌ପିକୁ ଧରାଇବା ପରେ ବୁଧବାର ଏତଲା ଦାଏର ହୋଇଥିଲା।

ସମ୍ବନ୍ଧିତ ଖବର