ଥାନା ଆଗରେ ବସିିଲେ ଛାତ୍ରୀ

ଫେସ୍‌ବୁକ୍‌ରେ ଛାତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ ମାମଲା

ଭୁବନେଶ୍ୱର: ଦେବରାୟ କଲେଜର ଜଣେ ସିନିୟର ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁକ୍ତ ୨ ଛାତ୍ର ଫେସବୁକ୍‌ରେ ସଂପୃକ୍ତ ଛାତ୍ରୀ ଓ ତାଙ୍କ ବାନ୍ଧବୀଙ୍କ ଫଟୋ ପୋଷ୍ଟ୍‍ କରି ଅଶ୍ଳୀଳ ଭାଷାରେ କମେଣ୍ଟ୍‌ ଦେବା ଘଟଣାରେ ଏଯାଏ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଅଭିଯୁକ୍ତ ଛାତ୍ର ଜଣକ ଫେରାର ଅଛି କହି ପୁଲିସ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛି। ପୁଲିସର ଏଭଳି ନିଷ୍କ୍ରିୟତାରେ ନିରାଶ ଛାତ୍ରୀ ଜଣକ ଆଜି ପୂର୍ବାହ୍ନ ପ୍ରାୟ ୧୦ଟାବେଳେ ଥାନାକୁ ଆସି ଥାନା ଆଗରେ କିଛି ସମୟ ଧାରଣାରେ ବସି ପଡ଼ିଥିଲେ। କିନ୍ତୁ ଥାନା କର୍ମଚାରୀମାନେ ତାଙ୍କୁ ବୁଝାସୁଝା କରି ଖୁବ୍‌ ଶୀଘ୍ର ଅଭିଯୁକ୍ତ ଛାତ୍ରକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀ ଜଣକ ଘରକୁ ଫେରି ଯାଇଛନ୍ତି। ତେବେ ଶୁକ୍ରବାର ଛାତ୍ରୀ ଜଣକ ସିଧାସଳଖ ପୁଲିସ କମିସନରଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ କଲେଜର ଜଣେ ଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ଅନ୍ୟାୟ ହୋଇଥିବା ଜାଣିବା ପରେ ଦେବରାୟ କଲେଜ କର୍ତୃପକ୍ଷ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି। ପୁଲିସର ନିଷ୍କ୍ରିୟତା ନେଇ ଅନ୍ୟ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। କଲେଜର କେତେକ ଛାତ୍ରୀ ଆଜି ଏ ନେଇ ଡିସିପିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ଡିସିପି ଅନୁପସ୍ଥିିତ ଥିବାରୁ ସେମାନେ ଫେରି ଆସିଥିଲେ। ତେଣୁ ଆସନ୍ତାକାଲି ଛାତ୍ରୀଙ୍କ ସମେତ ଅନ୍ୟମାନେ ମଧ୍ୟ ପୁଲିସ କମିସନର୍‌ଙ୍କୁ ଭେଟିବାକୁ ସ୍ଥିର କରିଛନ୍ତି।

ଛାତ୍ରୀଙ୍କ ଅଭିଯୋଗ ମୁତାବକ, କଲେଜରେ ବିଭିନ୍ନ ସମୟରେ କମେଣ୍ଟ ମାରି ଆସୁଥିବା ଛାତ୍ର ଜଣକ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲା। ମାତ୍ର ସେ ରାଜି ନ ହୋଇ ଏହାର ପ୍ରତିବାଦ କରିବାରୁ ଏଥିରେ ହତାଶ ହୋଇ ଛାତ୍ର ଜଣଙ୍କ ତାଙ୍କ ବିଷୟରେ ଏଣୁତେଣୁ କଲେଜ ପାଚେରିରେ ଲେଖାଲେଖି କରିବା ଆରମ୍ଭ କରିଥିଲା। ପରେ ଫେସବୁକରେ ଛାତ୍ର ଜଣକ ଏକ ନୂଆ ଆଇଡି ଖୋଲିଥିଲା। ଏହି ଫେସବୁକ୍‌ ଆଇଡିରେ ଛାତ୍ର ଜଣକ ସଂପୃକ୍ତ ଛାତ୍ରୀ ଓ ତାଙ୍କର ଜଣେ ସାଙ୍ଗଙ୍କ ଫଟୋକୁ ଛାଡ଼ିବା ସହିତ ସେଥିରେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ କମେଣ୍ଟସ୍‌ ଲେଖିଛି। ଯାହା ଫଳରେ ସେ ଭୀଷଣ ମନସ୍ତାପ ଭିତରେ ଅଛନ୍ତି ଏବଂ ଲୋକଲଜ୍ଜା ଭୟରେ କଲେଜ ଆସି ପାରୁନାହାନ୍ତି। ତାଙ୍କ ଅଭିଯୋଗ କ୍ରମେ ନୂଆପଲ୍ଲୀ ଥାନା ପୁଲିସ ଏ ନେଇ ଦୁଇ ସପ୍ତାହ ତଳୁ ମାମଲା ରୁଜୁ କରିଥିଲେ ହେଁ ଏଯାଏ ସଂପୃକ୍ତ ଛାତ୍ର ଓ ତାର କୌଣସି ସହଯୋଗୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର