ଘରୋଇ କଲେଜ ଅଧ୍ୟକ୍ଷଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଖଣ୍ଡଗିରି : ସ୍ଥାନୀୟ ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜର ଅଧ୍ୟକ୍ଷଙ୍କ ନାମରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଏଭଳି ସଂଗିନ୍‌ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବାର୍ଷିକ ଛାତ୍ରୀ। ଅଧ୍ୟକ୍ଷ ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିବା ଓ ବିଫଳ ହେବା ପରେ ମିଥ୍ୟାରେ ତାଙ୍କ ନାଁରେ ପରିବାରକୁ ଜଣାଇ ହଇରାଣ କରୁଥିବା ନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ଥାନା ପୁଲିସ ଛାତ୍ରୀଙ୍କ ଅଭିଯୋଗ ପାଇବା ପରେ ମାମଲାର ଛାନ୍‌ଭିନ୍‌ ଜାରି ରଖିଥିବା ସୂଚନା ମିଳିଛି।

ସୂଚନାନୁସାରେ ଛାତ୍ରୀଜଣଙ୍କ ଗତ କିଛି ଦିନ ତଳେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି। ଆଜି ସେ ଖଣ୍ଡଗିରି ଥାନାରେ ପହଞ୍ଚି ଅଧ୍ୟକ୍ଷଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ କଲେଜ ଅଧ୍ୟକ୍ଷ ତାଙ୍କୁ ବାରାମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିଲେ। ତାଙ୍କୁ ପରୋକ୍ଷରେ ଧମକଚମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

କିନ୍ତୁ ପାଲଟା ଅଭିଯୋଗ କରିଛନ୍ତି କଲେଜ ଅଧ୍ୟକ୍ଷ। ଛାତ୍ରୀ ଜଣଙ୍କ ସେହି କଲେଜର ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ରଖି ପଢ଼ାପଢ଼ିରେ ମନ ନିବେଶ କରୁ ନଥିବାରୁ ସେ ତାଙ୍କୁ ତାଗିଦ୍‌ କରିବା ସହ ତାଙ୍କ ବାପାମାଙ୍କୁ ଜଣାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ସେ ନିଜ ଉପରୁ ଦୋଷ ଖସାଇବାକୁ ଅପଚେଷ୍ଟା କରି ଏଭଳି ମିଛ ଆରୋପ କରିଛନ୍ତି। ଖଣ୍ଡଗିରି ଥାନ ସୂତ୍ରରୁ ମିଳିଥିବା ସୂଚନାନୁସାରେ ତଦନ୍ତ ଚାଲିଛି ଓ କାହା କଥାରେ ସତ ଅଛି ଜଣାପଡ଼ିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛାତ୍ରୀଙ୍କ ବାପାମାଙ୍କୁ ପଚରାଉଚରା କରାଯିବା ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର