ଫେସ୍‌ବୁକ୍‌ରେ ଫଟୋ ଛାଡ଼ି ଛାତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ

ପ୍ରେମରେ ବିଫଳ ହୋଇ ଛାତ୍ରଙ୍କ ଅଭାବନୀୟ କାଣ୍ଡ

ଭୁବନେଶ୍ୱର : ଦେବରାୟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ସେ । କିନ୍ତୁ ମନେ ମନେ ପ୍ରେମ କରୁଛନ୍ତି ତାଙ୍କଠାରୁ ବର୍ଷେ ବଡ଼ ଜଣେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀଙ୍କୁ। ଏପରିକି ଛାତ୍ରୀଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ। କିନ୍ତୁ ଛାତ୍ରୀ ଜଣକ ଏହାର ପ୍ରତିବାଦ କରିବାରୁ ଛାତ୍ର ଜଣକ ଫେସବୁକ୍‌ରେ ଏକ ନକଲି ଆଇଡି ଖୋଲି ସଂପୃକ୍ତ ଛାତ୍ରୀ ଓ ତାଙ୍କର ଜଣେ ବାନ୍ଧବୀଙ୍କ ଫଟୋକୁ ଛାଡ଼ି ତଳେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ କମେଣ୍ଟ୍‌ସ ଲେଖି ଦେଇଛନ୍ତି। ଏ ନେଇ ଛାତ୍ରୀ ଜଣକ ନୂଆପଲ୍ଲୀ ଥାନାରେ ଏତଲା ଦେବା ପରେ ପୁଲିସ ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଦୁଇ ସପ୍ତାହ ବିତିଗଲେ ବି ଅଭିଯୁକ୍ତ ଛାତ୍ରକୁ ଗିରଫ କରିବାକୁ ପୁଲିସ ସକ୍ଷମ ହୋଇ ନାହିଁ। ଏଭଳି ଘଟଣାକୁ ନେଇ ଦେବରାୟ କଲେଜରେ ଚାପା ଉତ୍ତେଜନା ଲାଗି ରହିଛି। ଅଭିଯୁକ୍ତକୁ ଗିରଫ କରା ନ ଗଲେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଛାତ୍ରୀଙ୍କ ଅଭିଯୋଗ ମୁତାବକ, ବିଭିନ୍ନ ସମୟରେ ଏହି ଛାତ୍ର ଓ ତାର କେତେଜଣ ସାଙ୍ଗ ତାଙ୍କୁ କମେଣ୍ଟ୍‌ କରୁଥିଲେ। ଏପରିକି ଛାତ୍ର ଜଣକ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲା। ମାତ୍ର ସେଏହାର ପ୍ରତିବାଦ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସେ ତାଙ୍କ ବିଷୟରେ ଏଣୁତେଣୁ କରି କଲେଜ ପାଚେରିରେ ଲେଖାଲେଖି କରିବା ଆରମ୍ଭ କରିଥିଲା। ଏ ନେଇ ଛାତ୍ରୀଙ୍କ ଭାଇ ତାକୁ ପରଚାଉଚରା କରିବା ସହ ତାଗିଦ କରିଥିଲେ। ଏହା ପରେ ଛାତ୍ର ଜଣକ ଫେସବୁକରେ ଏକ ନୂଆ ଆଇଡି ଖୋଲି ନିଜକୁ ରାଜଧାନୀ କଲେଜ ଛାତ୍ର ବୋଲି ପ୍ରୋଫାଇଲରେ ଦେଖାଇଥିଲା। ଏହି ଫେସବୁକ୍‌ ଆଇଡିରେ ସେ ସଂପୃକ୍ତ ଛାତ୍ରୀ ଓ ତାଙ୍କ ଜଣେ ସାଙ୍ଗଙ୍କ ଫଟୋକୁ ଛାଡ଼ିବା ସହିତ ସେଥିରେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ କମେଣ୍ଟସ୍‌ ଲେଖିଛି। ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନେ ଲୋକଲଜ୍ଜାରେ ଘରୁ ବାହାରି ପାରୁ ନାହାନ୍ତି। ଦୁହେଁ ଏକ ପ୍ରକାର ମାନସିକ ଚାପରେ ଅଛନ୍ତି। ପରିବାର ଲୋକଙ୍କ ଅବସ୍ଥା ମଧ୍ୟ ସମାନ। ଝିଅକୁ ଏଭଳି ଭାବେ ବଦନାମ କରାଯିବାରୁ ପାଠ ପଢ଼ିବାକୁ କଲେଜ ମଧ୍ୟ ଛାଡୁ ନାହାନ୍ତି।

ଏ ନେଇ ଛାତ୍ରୀଙ୍କ ପରିବାର ଲୋକ ପ୍ରଥମେ କଟକରେ ଥିବା କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲରେ ଅଭିଯୋଗ କରିଥିଲେ। କିନ୍ତୁ ସାଇବର ସେଲ କର୍ତୃପକ୍ଷ ଏ ନେଇ ନୂଆପଲ୍ଲୀ ଥାନାରେ ମାମଲା ରୁଜୁ କରିବାକୁ ଡିସିପି ସତ୍ୟବ୍ରତ ଭୋଇଙ୍କୁ ନିର୍ଦେଶ ଦେଇଥିଲେ। ଡିସିପି ଭୋଇଙ୍କ ନିର୍ଦେଶ କ୍ରମେ ନୂଆପଲ୍ଲୀ ଥାନା ପୁଲିସ ଦୁଇ ସପ୍ତାହ ତଳୁ ଏକ ମାମଲା ରୁଜୁ କରି ସାରିଛି। ସଂପୃକ୍ତ ଛାତ୍ର ବିରୋଧରେ ୩୫୪(ଏ)/ ଆଇଟି ଆକ୍ଟ ସମେତ ୫ ଦଫାରେ ମାମଲା ରୁଜୁ କରିଛି। କିନ୍ତୁ ଏଯାଏ ପୁଲିସ ସଂପୃକ୍ତ ଛାତ୍ର ଓ ତାର କୌଣସି ସହଯୋଗୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇ ପାରିନାହିଁ। ଓଲଟି ମାମଲା ଉଠାଇ ଦେବାକୁ ଏବେ ଛାତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ମିଳିବା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଅଭିଯୁକ୍ତ ଛାତ୍ର ସିଆରପିଏଫ୍‌ କ୍ୟାମ୍ପସରେ ରହୁଥିବାରୁ ପୁଲିସ ଭିତରକୁ ପଶିବା ସମ୍ଭବ ହୋଇ ପାରୁନାହିଁ ବୋଲି ନୂଆପଲ୍ଲୀ ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଛାତ୍ର ଜଣକ ଖୋଲିଥିବା ଆକାଉଣ୍ଟକୁ ବନ୍ଦ କରିବାକୁ ଫେସବୁକ୍‌କୁ କମିସନରେଟ୍‌ ପୁଲିସ ପକ୍ଷରୁ ଚିଠି କରାଯାଇଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କମିସନର ଖୁରାନିଆ କହିଛନ୍ତି।

ସମ୍ବନ୍ଧିତ ଖବର