ପ୍ରେମିକାଙ୍କ ଫୋନ୍‌ ବିକ୍ରି ପରେ ହତ୍ୟା, ଆତ୍ମହତ୍ୟା, ପୁଲିସ ଏନ୍‌କାଉଣ୍ଟର୍‌

ନୂଆଦିଲ୍ଲୀ: ପ୍ରେମିକାଙ୍କ ମୋବାଇଲ୍‌ ଫୋନ୍‌ ବିକ୍ରି ପରେ ମିରଟ ସହରରେ ଯାହା ଘଟିଛି ତାହା ଆଲୋଡ଼ନ ସୃଷ୍ଟି କରିଛି। ଫୋନ୍‌ରେ ଥିବା ଫଟୋଗୁଡ଼ିକୁ ମୋବାଇଲ ବିକ୍ରି ପୂର୍ବରୁ ହଟାଇ ନଥିବାରୁ କିଣିଥିବା ଲୋକଟି ମହିଳାଙ୍କ ଫଟୋଗୁଡ଼ିକ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରୁ ଏହାକୁ ନେଇ ଗୋଟିଏ କ୍ରମରେ ହତ୍ୟା, ଆତ୍ମହତ୍ୟା ଏବଂ ପୁଲିସ ଏନ୍‌କାଉଣ୍ଟର୍‌ ହୋଇଛି।

ସୂଚନା ଅନୁଯାୟୀ, ମୁଜାଫର୍‌ନଗରର ଗଙ୍ଗନହର୍‌ କେନାଲରେ ଜଣେ ୩୫ ବର୍ଷୀୟା ତାଙ୍କ ୫ ବର୍ଷର ପୁତ୍ର ସହ ପୋଲ ଉପରୁ ଶନିବାର ‌ଡେଇଁ ପଡ଼ିଥିଲେ। ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ପୁତ୍ରକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ଏହି ମାମଲାର ଅନୁସନ୍ଧାନ କରିବା ପରେ ଆତ୍ମହତ୍ୟା କରିଥିବା ମହିଳାଙ୍କ କିଛି ଆପତ୍ତିଜନକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ଯୋଗୁଁ ବଦନାମ ଭୟରେ ସେ ଏହି ପଦକ୍ଷେପ ନେଇଥିବା ଜାଣିବାକୁ ପାଇଥିଲେ। ପୁଲିସର ସୂଚନା ଅନୁଯାୟୀ, ମହିଳାଙ୍କ ପ୍ରେମିକ ଶୁଭମ ତାଙ୍କ ମୋବାଇଲ୍‌ ଫୋନ୍‌ଟିକୁ ଅନୁଜ ପ୍ରଜାପତି ନାମକ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ତେବେ ବିକ୍ରି କରିବା ପୂର୍ବରୁ ମୋବାଇଲ୍‌ରେ ଥିବା ଫଟୋଗୁଡ଼ିକ ହଟାଇବା ପାଇଁ ଭୁଲିଯାଇଥିଲେ। ଫୋନ୍‌ କିଣିଥିବା ଅନୁଜ ଉକ୍ତ ମହିଳାଙ୍କ ସହିତ ଶୁଭମର କିଛି ଆପତ୍ତିଜନକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଦେଇଥିଲେ ।

ପୁଲିସ ଏହି ମାମଲାରେ ଅନୁଜଙ୍କୁ ଖୋଜିବା ପରେ ତାଙ୍କୁ ମେ’ ୨୩ରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲା। ଏହାର ଅଧିକ ଅନୁସନ୍ଧାନ କରି ପୁଲିସ ସିସିଟିଭିରୁ ଜାଣିବାକୁ ପାଇଥିଲା ଶୁଭମ ଏବଂ ତାଙ୍କ ବନ୍ଧୁମାନେ ଅନୁଜଙ୍କୁ ହତ୍ୟା କରିଛନ୍ତି। ଶୁଭମକୁ ଧରିବା ପାଇଁ ପୁଲିସ ଶନିବାର ଅଭିଯାନ ଚଳାଇଥିବାବେଳେ ୫ ଜଣ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହି ଏନ୍‌କାଉଣ୍ଟର୍‌ରେ ପୁଲିସ ଅଭିଯୁକ୍ତ ଶୁଭମକୁ ଗିରଫ କରିଥିବା ସାହରନପୁର ଏସ୍‌ଏସ୍‌ପି ଦୀନେଶ କୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର