ଅପହୃତା ମାମୁ ଝିଅର ଫଟୋ ଭାଇରାଲ କଲା ଯୁବକ

ଅଭିଯୁକ୍ତକୁ ପୁଲିସ ହାତରୁ ଛଡ଼ାଇ ନେଲେ, ଦେଉଳଟାଙ୍ଗୀରେ ଉତ୍ତେଜନା

ବେଗୁନିଆ: ମାମୁଝିଅକୁ ଅପହରଣ ଓ ମୁଣ୍ଡଜାମିନ୍‌ ବାବଦକୁ ୫ଲକ୍ଷ ଟଙ୍କା ନ ପାଇବାରୁ ରାଗରେ ନାବାଳିକାଙ୍କ ଆପତ୍ତିଜନକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଇବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି। ଅପହୃତା ନାବାଳିକାଙ୍କ ବାପା ଏ ସଂପର୍କରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ନମ୍ବର ୪୮/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯେଉଁ ଫେସ୍‌ବୁକ୍‌ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ୍‌ ହୋଇଛି ତାହାକୁ ବନ୍ଦ କରାଇବା ଓ ଅପହୃତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି। ଅଭିଯୁକ୍ତଜଣଙ୍କ ହେଲା, ଖୋର୍ଧା ଥାନା ଅନ୍ତର୍ଗତ ଦେଉଳଟାଙ୍ଗୀ ଗ୍ରାମର ଶତ୍ରୁଘନ ସେଠୀଙ୍କ ପୁଅ ପ୍ରଶାନ୍ତ ସେଠୀ। ଗତକାଲି ସଂଧ୍ୟାରେ ବେଗୁନିଆ ପୁଲିସ ଏହାର ତଦନ୍ତ ପାଇଁ ଦେଉଳଟାଙ୍ଗୀ ଯାଇଥିବା ବେଳେ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିଯୁକ୍ତର ପରିବାର ଲୋକେ ଓ ସଂପର୍କୀୟ ପୁଲିସକୁ ମାରଧର କରିବା ସହ ପୁଲିସ ହାତରୁ ଅଭିଯୁକ୍ତକୁ ଛଡ଼ାଇ ନେଇଥିଲେ। ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବେଗୁନିଆ ପୁଲିସକୁ ହଟହଟା ହେବାକୁ ପଡ଼ିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ପ୍ରଶାନ୍ତ ତା’ ମାମୁ ଝିଅ ବେଗୁନିଆ ଅଞ୍ଚଳରେ ରହୁଥିବା ଜଣେ ନାବାଳିକାକୁ ଭଲ ପାଇ ଆସୁଥିଲା। ଗତ ୭ ତାରିଖ ରାତିରେ ନାବାଳିକାଜଣଙ୍କ ବେଗୁନିଆ ବଜାରକୁ ସଂଧ୍ୟାରେ ଯାଇ ଘରକୁ ଆଉ ଫେରି ନଥିଲା। ପରିବାରଲୋକେ ବହୁ ଖୋଜାଖୋଜି ପରେ ପ୍ରଶାନ୍ତ ତାଙ୍କ ଝିଅକୁ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ। ଝିଅର ମୁକ୍ତି ପାଇଁ ପ୍ରଶାନ୍ତ ନାବାଳିକାର ପରିବାରକୁ ୫ଲକ୍ଷ ଟଙ୍କା ମାଗିଥିଲା। କିନ୍ତୁ ନାବାଳିକାର ପରିବାର ଏତେଗୁଡ଼ାଏ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ରାଗରେ ପ୍ରଶାନ୍ତ ଅପହୃତା ନାବାଳିକାର କିଛି ଆପତ୍ତିଜନକ ଫଟୋକୁ ଫେସ୍‌ବୁକ୍‌ରେ ଭାଇରାଲ କରି ଦେଇଥିଲା।

ଏ ସଂପର୍କରେ ନାବାଳିକାର ବାପା ନିଜ ଭଉଣୀ ଭିଣୋଇଙ୍କୁ ଜଣାଇଥିଲେ ହେଁ ସେମାନେ ତାଙ୍କ କଥା ଶୁଣି ନଥିଲେ। ଭଉଣୀ ଛଚି ସେଠୀ ୫ଲକ୍ଷ ଟଙ୍କା ନଦେଲେ, କୌଣସି କଥା ଶୁଣିବି ନାହିଁ ବୋଲି ରୋକଠୋକ୍‌ କହିବା ସହ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ। ଫଳରେ ନିରୁପାୟ ହୋଇ ଗତକାଲି ନାବାଳିକାଙ୍କ ବାପା ଏ ସଂପର୍କରେ ଆଜି ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରଶାନ୍ତର ଫେସବୁକ ଆଇଡିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି। ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚେଷ୍ଟା ଜାରି ରହିଛି।

ସମ୍ବନ୍ଧିତ ଖବର