ସମ୍‌ ବାଉନ୍‌ସର୍‌ଙ୍କୁ ଗୁଳିକାଣ୍ଡ ମାମଲା : ୩ ଦିନିଆ ରିମାଣ୍ଡରେ ନକୁଳ

ଖଣ୍ଡଗିରି : ଶୁକ୍ରବାର ରାତିରେ ସ୍ଥାନୀୟ ସମ୍‌ ହସ୍ପିଟାଲର ବାଉନ୍‌ସର ପବିତ୍ର ସେଠୀଙ୍କୁ ଗୁଳି ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ନକୁଳ ମହାକୁଡ଼କୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଛି। ଖଣ୍ଡଗିରି ଥାନା ପୁଲିସ ଅଦାଲତଙ୍କୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲେ। କିନ୍ତୁ ମାମଲାର ଗୁରୁତ୍ୱକୁ ଦେଖି ଅଦାଲତ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଆଜି ତାକୁ ପୁଲିସ ଝାରପଡ଼ା ଜେଲ୍‌ରୁ ଆଣି ଥାନାରେ ରଖି ପଚରାଉଚରା ଚଳାଇଛି। ଆସନ୍ତା ୨୪ ତାରିଖରେ ନକୁଳକୁ ପୁଣି ଝାରପଡ଼ା ଜେଲ୍‌କୁ ଫେରାଇ ଦିଆଯିବ।

ଏହି ରିମାଣ୍ଡ ଅବଧି ଭିତରେ ପୁଲିସ ମୁଖ୍ୟତଃ ୩ଟି ଦିଗ ଉପରେ ତାକୁ ପଚରାଉଚରା କରିବ। ପ୍ରଥମତଃ ସେ ଘଟଣାଦିନ ବ୍ୟବହାର କରିଥିବା ପିସ୍ତଲ ଜବତ କରିବା ପୁଲିସର ମୂଳ ଲକ୍ଷ୍ୟ। ସୂଚନାନୁସାରେ ସେ ପୁଲିସକୁ ବନ୍ଧୁକ ବାବଦରେ ସମସ୍ତ ତଥ୍ୟ ଦେଇ ସାରିଛି ଓ ରାତିରେ ପୁଲିସ ତାକୁ ଜବତ କରିବ। ଏହା ପରେ ପୁଲିସ ଗୁଳିାକଣ୍ଡର କାରଣ ଖୋଜିବ। ଘଟଣା ପରଠାରୁ ପବିତ୍ର ଓ ନକୁଳ ମଧ୍ୟରେ ଥିବା ବିବାଦକୁ ନେଇ ନାନା କଥା ଆଲୋଚନା ହେଉଛି। କିନ୍ତୁ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଦୁଇଜଣଯାକ ସ୍ଥାନୀୟ ଗାଁ ପାଖର ପିଲା ବାଉନ୍‌ସର ଭାବେ ପରିଚିତ। ପବିତ୍ର ଜଣେ ଶାନ୍ତ ସ୍ୱଭାବର ପିଲାଭାବେ ଜଣାଶୁଣା। କିନ୍ତୁ ନକୁଳର ବେପାର ଭିନ୍ନ। ତା ନାଁରେ ଚନ୍ଦକାରୁ ଆରମ୍ଭ କରି ଖଣ୍ଡଗିରି ଓ ଖାରବେଳନଗର ଥାନା ପର୍ଯ୍ୟନ୍ତ ୮ଟିରୁ ଅଧିକ ଅପରାଧିକ ମାମଲା ରହିଛି। ବନ୍ଧୁକ ବେପାର, ଜମିବାଡ଼ି ଦଖଲ କାରବାରଠାରୁ ଆରମ୍ଭ କରି ଦାଦାବଟି ପର୍ଯ୍ୟନ୍ତ ବହୁ ମାମଲାରେ ନକୁଳ ସମ୍ପୃକ୍ତ। ପବିତ୍ରକୁ ଜୀବନରେ ମାରି ଦେବା ପାଇଁ ନକୁଳ ଗୁଳିକାଣ୍ଡ କରିଥିଲା। ତିନି ତିନି ରାଉଣ୍ଡ ଗୁଳିମାଡ଼ କରିଥିଲା ନକୁଳ। ତେଣୁ ଏହା ପଛରେ କିଛି ବଡ଼ ଧରଣର କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ସେହିଭଳି ଏହି ମାମଲାରେ ପଛରେ ଆଉ କିଏ ରହିଛି, ତାହା ବି ପୁଲିସ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର