ସମ୍‌ ବାଉନ୍‌ସରଙ୍କୁ ଗୁଳିମାଡ଼ ମାମଲା: ଆତ୍ମସମର୍ପଣ କଲା ନକୁଳ

୫ ଦିନିଆ ରିମାଣ୍ଡ୍‌ରେ ନେବାକୁ ପୁଲିସର ଆବେଦନ

ଖଣ୍ଡଗିରି: ଶୁକ୍ରବାର ରାତିରେ ସମ୍‌ ହସ୍ପିଟାଲ ବାଉନ୍‌ସର ପବିତ୍ର ସେଠୀଙ୍କୁ ଗୁଳି ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ ନକୁଳ ମହାକୁଡ଼ ଆଜି କୋର୍ଟରେ ଆତ୍ମସମର୍ପଣ କରିଛି। ନକୁଳର ଜାମିନ୍‌ ଆବେଦନ ନାମଞ୍ଜୁର ହେବା ପରେ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ତାକୁ ୫ ଦିନ ଲାଗି ରିମାଣ୍ଡ୍‌ରେ ଆଣିବା ପାଇଁ ଅଦାଲତଙ୍କୁ ଆବେଦନ କରିଛି। ଗୁଳିକାଣ୍ଡର କାରଣ ଓ ଗୁଳି ମାଡ଼ରେ ବ୍ୟବହୃତ ପିସ୍ତଲ ଜବତ କରିବା ଉଦ୍ଦେଶ୍ୟରେ ପୁଲିସ ତା’କୁ ରିମାଣ୍ଡରେ ଆଣିବ। ତେବେ ଆସନ୍ତାକାଲି ରବିବାର ପଡ଼ୁଥିବାରୁ ସୋମବାର ଅଦାଲତଙ୍କ ଅନୁମତି ମିଳିବା ପରେ ପୁଲିସ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଏଣେ ଗୁଳିମାଡ଼ରେ ଗୁରୁତର ହୋଇଥିବା ପବିତ୍ରଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କର ଅପରେସନ୍‌ କରି ଗୁଳି ବାହାର କରାଯାଇଥିବା ଜଣାପଡ଼ିଛି।

ପୁଲିସକୁ ଚକ୍‌ମା ଦେଇ କୋର୍ଟରେ ପଶିଗଲା

ଶୁକ୍ରବାର ରାତିରେ ହିଁ ପୁଲିସ ନକୁଳକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଡିସିପି ସତ୍ୟବ୍ରତ ଭୋଇଙ୍କ ନିର୍ଦେଶକ୍ରମେ କ୍ୟୁଏଟି, ସ୍ପେସାଲ ସ୍କ୍ଵାଡ୍‌, ଚନ୍ଦକା ଥାନା ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ନକୁଳକୁ ଗିରଫ କରିବା ପାଇଁ ଘେରି ରହିଥିଲେ। କିନ୍ତୁ ନକୁଳର ଯୋଜନା ଥିଲା ଭିନ୍ନ। ସେ ଗତ ରାତିରୁ ହିଁ ତାର ଆଇନଜୀବୀଙ୍କ ସହ ପରାମର୍ଶ କରି କୋର୍ଟରେ ଆତ୍ମସମର୍ପଣ କରିବ ବୋଲି ଯୋଜନା କରିଥିଲା। ଏହି ଖବର ପୁଲିସ ନିକଟରେ ପହଞ୍ଚି ସାରିଥିଲା। ତେଣୁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଆଜି କୋର୍ଟରେ ଜଗି ରହିବା ସହ ରାସ୍ତାରେ ବି ଛକି ରହିଥିଲା। ଅପରାହ୍ଣ ପ୍ରାୟ ୩ଟା ସମୟରେ ସେ ଏକ ପଲସର୍‌ ବାଇକ୍‌ ଯୋଗେ ରାଜମହଲ ଛକ ପାର୍‌ ହେଉଥିବା ସମୟରେ ପୁଲିସ ତାକୁ ପିଛା କରିଥିଲା। ମାତ୍ର ପୁଲିସ ବଲେରୋ ଗାଡ଼ି ତାକୁ ଧରିବା ପୂର୍ବରୁ ସେ କୋର୍ଟରେ ପଶି ଯାଇଥିଲା। ଏମିତିକି କୋର୍ଟରେ ପୁର୍ବରୁ ଛକି ରହିଥିବା ପୁଲିସ ବି ତା’ର ଟେର୍‌ ପାଇ ନଥିଲେ।

ଚୋରା ବନ୍ଧୁକ ବେପାର କରେ ନକୁଳ

ନକୁଳ ନାଁରେ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ୮ଟି ଆପରାଧିକ ମାମଲା ରହିଛି। ଚନ୍ଦକା ଥାନାରେ ୪ଟି, ଖଣ୍ଡଗିରି ଥାନାରେ ୩ଟି ଓ ଖାରବେଳନଗର ଥାନାରେ ଗୋଟିଏ ମାମଲା ରହିଛି। ଚନ୍ଦକା ଓ ଖଣ୍ଡଗିରିରେ ଗଣ୍ଡଗୋଳ ଦାଦାବଟି ମାମଲା ଥିବାବେଳେ ଖାରବେଳ ନଗର ଥାନାରେ ରହିଛି ଚୋରା ବନ୍ଧୁକ କାରବାର ମାମଲା। ୨୦୧୪ ମସିହାରେ ଖାରବେଳ ନଗର ଥାନା ପୁଲିସ ଏକ ହୋଟେଲରୁ ଚୋରା ବନ୍ଧୁକ ସହ ଗିରଫ କରିଥିଲା। ହୋଟେଲରେ ଥାଇ ବନ୍ଧୁକ ବିକିବାକୁ ଯୋଜନା କରୁଥିବାବେଳେ ପୁଲିସ ହାତରେ ଧରା ପଡ଼ିଥିଲା। ଖଣ୍ଡଗିରି ଓ ଚନ୍ଦକା ଥାନା ଅଞ୍ଚଳରେ ସେ ଦାଦାବଟି ପାଇଁ ମାର୍‌ପିଟ୍‌ କରିଥିବାରୁ ୪ଟି ମାମଲା ରହିଛି।

ବାଉନ୍‌ସର ବେପାରରୁ ଭଲ ରୋଜଗାର କରୁଥିଲା

ବନ୍ଧୁକ କାରବାର ସହ ନକୁଳ ବାଉନ୍‌ସର ବେପାର ବି କରୁଥିଲା। ଚନ୍ଦକା ଥାନା ଅଞ୍ଚଳରେ ବିଭିନ୍ନ ଶିଲ୍ପ ଓ ଘରୋଇ ଇଂଜିନିୟରିଂ କଲେଜରେ ତା’ର ବାଉନ୍‌ସର ପିଲା ନିଯୁକ୍ତି ପାଇଛନ୍ତି। ଏଥିସହିତ ଜମିବାଡ଼ି ମାମଲାରେ ବାଉନ୍‌ସର ଠିଆ କରାଇ ଦଖଲ ଦେବା ବାବଦରେ ବି ନକୁଳ ବେଶ୍‌ ଭଲ ରୋଜଗାର କରୁଥିଲା। ଚନ୍ଦକା, କଣ୍ଟାବାଡ଼, ପାଇକରାପୁର ଆଦି ଅଞ୍ଚଳରେ ବିଲ୍‌ଡର୍ସମାନଙ୍କ ପାଇଁ କାମ କରି ସେ ଏକପ୍ରକାର ଡନ୍‌ ପାଲଟି ଯାଇଥିଲା। କମ୍‌ ବୟସର ହୋଇଥିଲେ ବି ରାଜଧାନୀର ବିଭିନ୍ନ ଅସାମାଜିକ ତତ୍ୱମାନଙ୍କ ସହ ତା’ର ନିବିଡ଼ ସମ୍ପର୍କ ଥିବାରୁ ମଳିପଡ଼ା, ଗୋଠପାଟଣା, ଘଙ୍ଗାପାଟଣା ଆଦି ଅଞ୍ଚଳରେ ତାକୁ ଲୋକେ ଭୟ କରୁଥିଲେ।

ଗୁଳିକାଣ୍ଡର କାରଣ ଅସ୍ପଷ୍ଟ

ସମ୍‌ ହସ୍ପିଟାଲ ବାଉନ୍‌ସର ପବିତ୍ରଙ୍କୁ ନକୁଳ ଗୁଳି ମାଡ଼ କରିବାର କାରଣ ଏବେ ବି ଅସ୍ପଷ୍ଟ। ଦୁଇ ଜଣଯାକ ସ୍ଥାନୀୟ ଯୁବକ ଓ ପାଖ ଗାଁର। ପବିତ୍ର ଘର ଘାଟିକିଆରେ ହୋଇଥିବା ବେଳେ ନକୁଳର ଘର ମଳିପଡ଼ା। ସବୁଦିନ ସେମାନେ ସମ୍‌ ହସ୍ପିଟାଲ ଛକରେ ଏକାଠି ହୋଇଥାଆନ୍ତି। ଏମିତିକି ସମ୍‌ ହସ୍ପିଟାଲ ଛକସ୍ଥିତ ଜିମ୍‌ରେ ଦୁଇଜଣ ଯାକ ଅଭ୍ୟାସ କରୁଥିବା କୁହାଯାଉଛି। ତେଣୁ ଦୁଇ ଜଣଙ୍କ ଭିତରେ କେଉଁ କାରଣକୁ ନେଇ ଏଭଳି ତିକ୍ତତା ସୃଷ୍ଟି ହୋଇଛି, ତାହା କେହି କହି ପାରୁନାହାନ୍ତି। ବାଉନ୍‌ସର ପିଲା ନିଯୁକ୍ତିକୁ ନେଇ ଶତ୍ରୁତା ସୃଷ୍ଟି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ସେହିଭଳି ଦାଦାଗିରିକୁ ନେଇ ବି ଏଭଳି ଘଟିଥିବା ବୋଲି ଚର୍ଚ୍ଚା ହେଉଛି। ତେବେ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ପ୍ରକୃତ କାରଣ ଜଣାପଡ଼ିବ।

ମଦ ଦୋକାନ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସ ହାତ ଖାଲି

ଭୁବନେଶ୍ୱର: ଧୀରେ ଧୀରେ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ। କଥା କଥାକେ ଫୁଟୁଛି ଗୁଳି। ସପ୍ତାହକ ତଳେ ଭୁବନେଶ୍ୱର-ବନମାଳିପୁର ମୁଖ୍ୟ ରାସ୍ତାର ପଞ୍ଚାୟତରୋଡ୍‌ ଛକ ନିକଟରେ ମଦ ଦୋକାନ କର୍ମଚାରୀ ଜଗବନ୍ଧୁ ସାହୁଙ୍କୁ ଗୁଳିମାଡ଼ କରି ଲୁଟ୍‌ କରିବା ଘଟଣାର ପର୍ଦାଫାସ ନ ହେଉଣୁ ଶୁକ୍ରବାର ରାତିରେ ଖଣ୍ଡଗିରି ଥାନା ଅଧୀନ ସମ୍‌ ହସ୍ପିଟାଲ ବାଉନ୍‌ସର ପବିତ୍ର ସେଠୀଙ୍କୁ ଗୁଳିମାଡ଼ ହୋଇଛି। ଉଭୟ ଘଟଣାରେ ପୁଲିସ ଅପରାଧୀଙ୍କ ପାଖରେ ପହଞ୍ଚି ପାରିନି।

ଭୁବନେଶ୍ୱର-ବନମାଳିପୁର ମୁଖ୍ୟ ରାସ୍ତାରେ ମଦ ଦୋକାନ କର୍ମଚାରୀ ଜଗବନ୍ଧୁ ସାହୁ ଗୁଳିକାଣ୍ଡ ଘଟଣାକୁ ଏକ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ହେଁ ତଦନ୍ତକାରୀ ପୁଲିସ ଟିମ୍‌ ଓ ସ୍ପେସାଲ ସ୍କ୍ଵାଡ୍‌ ଅପରାଧୀ ଦ୍ୱୟଙ୍କୁ କାବୁ କରିବାରେ ସକ୍ଷମ ହୋଇପାରି ନାହାନ୍ତି। ତେଣୁ ନିର୍ଦ୍ଦିଷ୍ଟ ସମୟରେ ଜଗବନ୍ଧୁଙ୍କ ବାଇକ୍‌କୁ ପିଛା କରିଥିବା ଯୁବକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଓ ସ୍ପେସାଲ ସ୍କ୍ଵାଡ୍‌ ସିସିକ୍ୟାମେରା ଫୁଟେଜ୍‌ର ସହାୟତା ନେଇଛନ୍ତି। ବିଳମ୍ବିତ ରାତିରେ ଏହି ନିଛାଟିଆ ସ୍ଥାନରେ ଏଭଳି ଗୁଳିକାଣ୍ଡ କରିଥିବା ଯୁବକମାନେ ସ୍ଥାନୀୟ ଅଞ୍ଚଳର ଅପରାଧୀ କି କମିସନରେଟ୍‌ ପୁଲିସ ଅଧୀନରେ ବିଭିନ୍ନ ଥାନାର ଜଣାଶୁଣା ଅପରାଧୀ ଉପକଣ୍ଠ ଅଞ୍ଚଳକୁ ଯାଇଏହା ଘଟାଇଛନ୍ତି ସେ ନେଇ ପୁଲିସ ଏବେ ବି ଦ୍ୱନ୍ଦ୍ୱରେ ରହିଛି। ଏସବୁ ଦିଗକୁ ଦୃଷ୍ଟିରେ ରଖି କେତେଜଣ ସନ୍ଦିଗ୍ଧ ଅପରାଧୀମାନଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର