ରହସ୍ୟରୁ ପର୍ଦା ଉଠିଲା: ଅଲୌକିକ ଶକ୍ତି ଇସାରାରେ ବନ୍ଧୁଙ୍କ ୩ ବର୍ଷୀୟା ଶିଶୁ କନ୍ୟାକୁ ହତ୍ୟା

ମୁମ୍ବାଇ: ମୁମ୍ବାଇର କୋଲାବା ଅଞ୍ଚଳରେ ଶନିବାର ସଂଧ୍ୟାରେ ଜଣେ ୩ ବର୍ଷୀୟା ଶିଶୁ କନ୍ୟାକୁ ଏକ ଆପାର୍ଟମେଣ୍ଟ୍‌ର ୭ ତାଲା ଉପରୁ ତଳକୁ ଫୋପାଡ଼ି ଦେଇଥିବା ଅଭିଯୁକ୍ତ ପୁଲିସ୍‌ ହାତରେ ଧରାପଡ଼ିଥିବା ଜାଣିବାକୁ ମିଳିଛି। ଏକ ଆଲୌକିକ ଶକ୍ତି ତାଙ୍କୁ ଏପରି କରିବାକୁ କହିଥିଲା ବୋଲି ସେ ସଫେଇ ଦେଇ କହିଛନ୍ତି। ଅଭିଯୁକ୍ତ ଅନୀଲ ଚୁଗାନି ଗତ ମେ ମାସରୁ ପିଲାଟିକୁ ହତ୍ୟା କରିବାର ଯୋଜନା କରୁଥିଲେ ବୋଲି ପୁଲିସ୍‌ ଆଗରେ ସ୍ୱୀକାର କରିଥିବା ଜାଣିବାକୁ ମିଳିଛି।

ପୁଲିସ୍‌ ହାତରେ ଅନୀଲଙ୍କର ଏକ ଡାଏରି ପଡ଼ିଛି। ସେହି ଡାଏରିରେ ସେ ତାଙ୍କ ବନ୍ଧୁଙ୍କର ଯାଆଁଳା ପିଲାକୁ ମାରିବାକୁ ଯୋଜନା କରୁଥିବା କଥା ଲେଖାଯାଇଛି। ତାଙ୍କ କହିବା ମୁତାବକ, ସେ ଯଦି ତାଙ୍କ ବନ୍ଧୁଙ୍କ ଯାଆଁଳା ଛୁଆଙ୍କୁ ମାରିଦିଅନ୍ତି ତେବେ ତାଙ୍କ ଜୀବନର ସମସ୍ୟା ସମାଧାନ ହୋଇଯିବ ବୋଲି ଆଲୌକିକ ଶକ୍ତି ଦ୍ୱାରା ସେ ଜାଣିବାକୁ ପାଇଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର କୋଲାବା ଅଞ୍ଚଳରେ ଶନିବାର ସଂଧ୍ୟାରେ ଜଣେ ୩ ବର୍ଷୀୟ ଶିଶୁକୁ ଏକ ଆପାର୍ଟମେଣ୍ଟ୍‌ର ୭ ତାଲା ଉପରୁ ତଳକୁ ଫୋପାଡ଼ି ଦେବା ପରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏପରି ବର୍ବର କାଣ୍ଡ ଶିଶୁଟର ବାପାଙ୍କ ବନ୍ଧୁ କରିଥିବା ଅଭିଯୋଗ ହୋଇଥିଲା। ଶିଶୁଟିକୁ ଫୋପାଡ଼ି ଦେବା ପରେ ବିଲ୍ଡିଂ ତଳେ ପାର୍କ ହୋଇଥିବା ଏକ କାର୍‌ ଉପରେ ପଡ଼ି ଛେଚି ହୋଇ ଶିଶୁଟିର ଜୀବନ ଯାଇଥିଲା।

ସ୍ଥାନୀୟ ଲୋକମାନେ ଘଟଣା ଘଟିବା ପରେ ଶିଶୁଟିକୁ ସେଣ୍ଟ୍‌ ଜର୍ଜ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର