ଗାନ୍ଧିନଗର: ବେଳେ ଅନ୍ଧବିଶ୍ୱାସ ଆଖି ଥିବା ମଣିଷକୁ ଦୃଷ୍ଟିହୀନ ସଜାଇ ଦିଏ। ଜଣେ ବ୍ୟକ୍ତି ଚାହିଁକରି ବି ଭୁଲ୍, ଠିକ୍ ଭିତରର ପାର୍ଥକ୍ୟ କରିପାରେ ନାହିଁ। ଗୁରୁରାଟର ହରିପୁରା ଗ୍ରାମରେ ଅନ୍ଧବିଶ୍ୱାସ ହେତୁ ଏକ ଲଜ୍ଜାଜନକ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଏହି ଅନ୍ଧବିଶ୍ୱାସର ଶିକାର ହୋଇଛି ଜଣେ ୫ ବର୍ଷୀୟା କଅଁଳ କନ୍ୟା।
ଘଟଣାଟି ଏମିତି, ଗୁଜୁରାଟର ହରିପୁରା ଅଞ୍ଚଳର ଲୋକେ ବିଶ୍ୱାସ କରନ୍ତି ଯେ ତିଥିହାରୀ(ଏକ ପ୍ରକାର ପକ୍ଷୀର ନାମ)ର ଅଣ୍ଡା ଯଦି କାହା ଦ୍ୱାରା ଫଟିଯାଏ ତାହାଲେ ସେ ପରମ ପାପୀ। ତିଥିହାରୀର ଅଣ୍ଡା ଫାଟିଲେ ଅଞ୍ଚଳକୁ ମୌସୁମୀ ଆସେ ନାହିଁ।
ଗ୍ରାମର ହକିମଚାନ୍ଦଙ୍କର ୫ ବର୍ଷୀୟା ଝିଅ ସରକାରୀ ସ୍କୁଲ୍କୁ ପ୍ରଥମ କରି ଯାଇଥାଏ। ସ୍କୁଲ୍ରେ ଅନ୍ନପୂର୍ଣ୍ଣା ଦୁଗ୍ଧ ଯୋଜନା ମୁତାବକ ଖିର ବଣ୍ଟା ଚାଲିଥାଏ। ଖିର ପାଇଁ ପିଲାମାନେ ଧାଡ଼ିରେ ଠିଆ ହୋଇଥାନ୍ତି। ଧଡ଼ିରେ ଯିବା ସମୟରେ ହକିମଚାନ୍ଦଙ୍କ ଝିଅ ସୋନି(ଛଦ୍ମନାମ)ର ପାଦ ପଡ଼ିବାରୁ ତିଥିହାରୀର ଅଣ୍ଡା ଫାଟିଗଲା।
ଅଣ୍ଡା ଫାଟିଯିବା ପରେ ସେଠାରେ ଲୋକେ ରୁଣ୍ଡ ହୋଇଗଲେ। ସମସ୍ତେ କୁନି ଝିଅଟିକୁ ପାପୀ ବୋଲି କହିବା ସହ ପାପର ପ୍ରାୟଶ୍ଚିତ ପାଇଁ ତାକୁ ୧୦ ଦିନ ଘର ବାହାରେ ରହିବାକୁ ନିର୍ଦ୍ଦେଶ ଦେଲେ। ଏପରିକି ଋଣ ନେଇ ନିଜ ପରିବାରର ପେଟ ପୋଷୁଥିବା ହକିମଚାନ୍ଦଙ୍କ ଉପରେ ୧୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଲେ।
ଏ ସଂପର୍କରେ ପୁଲିସ୍ରେ ଅଭିଯୋଗ ଆଣି ହକିମଚାନ୍ଦଙ୍କ ପରିବାର ଲୋକେ କୁହନ୍ତି ଯେ ଗ୍ରାମଲୋକଙ୍କ ଚାପରେ ଆସି କୁନି ପିଲାଟି ଦିନ, ରାତି ବାହାରେ ପଡ଼ିରହିଲା। ଭବବାନଙ୍କ ଦୟାରୁ ବର୍ଷା ହୋଇନାହିଁ। ନହେଲେ ତାକୁ ଓଦା, କାଦୁଅରେ ବି ବାହାରେ ରହିବାକୁ ପଡ଼ିଥାନ୍ତା।
ଏପଟେ ଗ୍ରାମବାସୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନେ କେବଳ ପାପା ପ୍ରାୟଶ୍ଚିତ ପାଇଁ ମନ୍ଦିରରେ ଯାଇ ରହିବା ପାଇଁ କହିଥିଲେ। ମାତ୍ର ହକିମଚାନ୍ଦ କଥାକୁ ବଢ଼ାଇ ଚଢ଼ାଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି। ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଛି।