ନୂଆଦିଲ୍ଲୀ: ଜଣେ ମହିଳାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ସମୟରେ କଣ୍ଡୋମ ବ୍ୟବହାର ନ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି । ମହିଳା ଉକ୍ତ ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଗିରଫ ଡାକ୍ତରଙ୍କ ନାମ ମେଥ୍ୟୁ ସେୱେଲ ଓ ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡ଼ିଛି।
ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ ସାଥୀଙ୍କ ଇଚ୍ଛା ବିରୋଧରେ କିମ୍ବା ମିଛ କହି ଶାରୀରିକ ସମ୍ବନ୍ଧ ସମୟରେ ଯଦି କଣ୍ଡୋମ୍ ହଟାଇ ଦିଆଯାଏ ତେବେ ଏହାକୁ ଦୁଷ୍କର୍ମ ବୋଲି ଧରାଯାଏ । କୋର୍ଟ ଏହାକୁ ସହମତିର ଉଲଂଘନ ମାନି ଥାଆନ୍ତି।
ବ୍ରିଟେନ୍ର ଟୁଓ୍ଵିକନହମ୍ରେ ରହୁଥିବା ମେଥ୍ୟୁ ମିଡଲସବ୍ରୋଗ ସରକାରୀ ହସ୍ପିଟାଲ୍ରେ କାମ କରନ୍ତି। ଓକିଲଙ୍କ କହିବା ଅନୁସାରେ, ପୀଡ଼ିତା ଭାବିଥିଲେ ତାଙ୍କ ସାଥୀ କଣ୍ଡୋମ୍ର ବ୍ୟବହାର କରୁଛନ୍ତି। କିନ୍ତୁ ଡାକ୍ତର ଜଣକ ସେପରି କିଛି ବି କରି ନଥିଲେ। ଯଦି ପୀଡ଼ିତା ଜାଣି ଥାଆନ୍ତେ କି ତାଙ୍କ ସାଥୀ କଣ୍ଡୋମ୍ ବ୍ୟବହାର କରୁ ନାହାନ୍ତି ବୋଧ ହୁଏ ସେ ସହମତି ଦେଇ ନ ଥାଆନ୍ତେ। ସେଥିପାଇଁ ଡାକ୍ତରଙ୍କ ବିରୋଧରେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।
କୋର୍ଟଙ୍କୁ ଏହା ବି ସୂଚୀତ କରାଯାଇଛି କି ଦୁହିଁଙ୍କ ଭେଟ ଡେଟିଂ ଆପ୍ ଟିଣ୍ଡର ଜରିଆରେ ହୋଇଥିଲା । ମେଥ୍ୟୁ ବୟସକୁ ନେଇ ବି ମିଛ କହିଥିଲେ। ମେଥ୍ୟୁଙ୍କ ବୟସ ୩୬ବର୍ଷ ହୋଇଥିବା ବେଳେ ସେ ନିଜ ପ୍ରୋଫାଇଲ୍ରେ ୨୭ବର୍ଷ ବୋଲି ଲେଖିଥିଲେ। ସେ ନିଜର ଏହି ଦୋଷକୁ ସ୍ୱୀକାର କରିଥିବା ଜଣାଯାଇଛି ।
କିନ୍ତୁ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରି ମେଥ୍ୟୁ କହିଛନ୍ତି, ମହିଳାଙ୍କ ସହମତିରେ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ଘଟଣାକୁ ନେଇ ଆଗାମୀ ଶୁଣାଣି ବାକି ରହିଛି।