ଅନର କିଲିଂ! ଝିଅ ଅଜାତି ପୁଅକୁ ପ୍ରେମ କରିବାରୁ ବାପା ହାତରେ ଜୀବନ ଗଲା

ହାଇଦ୍ରାବାଦ୍‌: ସୋମବାର ଦେଶରେ ଆଉ ଏକ ଅନର କିଲିଂ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଜଣେ ବାପା ତାଙ୍କ ଝିଅକୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଝିଅଟି ଜଣେ ଆଜାତି ପୁଅକୁ ଭଲପାଉଥିବା ଜାଣିବା ପରେ ପରିବାର ସମ୍ମାନ ରକ୍ଷା କରିବା ପାଇଁ ବାପା ତା’ର ହତ୍ୟା କରିଥିବା ସୂଚନା ରହିଛି।

ଅଭିଯୁକ୍ତ ବାପା ଜଣକ ହେଉଛନ୍ତି କେ ଭେଙ୍କା ରେଡ୍ଡି। ପ୍ରକାଶମ ଜିଲ୍ଲାରେ ଥିବା ଥାଲୁର ବ୍ଲକ୍‌ସ୍ଥିତ ତାଙ୍କ ତାଙ୍କ ବାସଭବନରେ ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବାର ଜାଣିବାକୁ ମିଳିଛି। ସେ ହତ୍ୟା କରିବା ପରେ ସଂପର୍କୀୟ ଓ ପଡ଼ୋଶୀଙ୍କୁ ତାଙ୍କ ଝିଅର ହୃଦ୍‌ଘାତ ହେତୁ ମୃତ୍ୟୁ ହୋଇଛି ବୋଲି ମିଛ କହି ନିଜ ଦୋଷ ଲୁଚାଇ ରଖିବା ଉଦ୍ୟମ କରିଥିବା ସୂଚନା ରହିଛି।

ମୃତକ ଏକ ବେସରକାରୀ କଲେଜ୍‌ରେ ବି.କମ୍‌ ଦ୍ୱିତୀୟ ବର୍ଷରେ ପଢୁଥିଲେ। ସେ ତାଙ୍କ ଶ୍ରେଣୀର ଜଣେ ଯୁବକକୁ ପ୍ରେମ କରି ବସିଲେ। ତେବେ ଏହି ପ୍ରେମୀ ଯୁଗଳଙ୍କ ଜାତି କିନ୍ତୁ ସମାନ ନଥିଲା। ସେମାନଙ୍କ ଭିତରେ ୨ ବର୍ଷ ହେବ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲେ ବି ଏକଥା ଝିଅର ବାପାମାଆ ମାତ୍ର ୮ ମାସ ତଳେ ଜାଣିବାକୁ ପାଇଥିଲେ। ଝିଅର ଅଜତି ପୁଅ ସହ ସଂପର୍କ ଥିବା ଜାଣିବା ପରଠାରୁ ହିଁ ବାପାମାଆ ତାକୁ ବିରୋଧ କରି ଆସୁଥିଲେ।

ପ୍ରେମକୁ ଘରେ ସମର୍ଥନ ନମିଳିବାରୁ ଯୁବତୀ ଜଣକ ନିଜ ପ୍ରେମିକ ସହ ଘରଛାଡ଼ି ପଳାଇବା ଉଦ୍ୟମ ବି କରିଥିଲେ। ଏକଥା ପରିବାର ଲୋକ ଜାଣିବା ପରେ ଯୁବତୀଙ୍କୁ ଘରେ ବହୁ ଧମକଚମକ କରିଥିଲେ। ଶେଷରେ ଯୁବତୀ ଓ ତାଙ୍କ ବାପାଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯିବା ପରେ ବାପା ଗଳା ଚିପି ନିଜ ଝିଅର ହତ୍ୟା କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର