ଜେଲ୍‌ ଗଲେ ସ୍ବର୍ଣ୍ଣଯୁଗ ହ୍ୟୁମାନ୍‌ ରିସୋର୍ସର ପରିଚାଳନା ନିର୍ଦେଶକ

ଭୁବନେଶ୍ୱର : ୧୪ କୋଟି ଟଙ୍କା ଠକେଇ ଅଭିଯାଗରେ ଗିରଫ ହୋଇଥିବା ସ୍ବର୍ଣ୍ଣଯୁଗ ହ୍ୟୁମାନ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜଗନ୍ନାଥ ଦାଶ(୩୪)ଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ରାୟପୁରରୁ ଗିରଫ କରି ରିମାଣ୍ଡରେ ଆଣିବା ପରେ ଆଜି କୋର୍ଟ ଚାଲାଣ କରିଛି। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ବଡ଼ଗଡ଼ ବୋଲି ଜଣାପଡ଼ିଛି। ଆଜି ଭୁବନେଶ୍ବର ଏସ୍‌ଡି‌ଜେଏମ୍‌ଙ୍କ କୋର୍ଟରେ ତାଙ୍କୁ ଉପସ୍ଥାପନ କରାଯିବା ପରେ ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି।

ଇଓଡବ୍ଲୁ ସୂଚନା ମୁତାବକ, ଜଗନ୍ନାଥ ସ୍ବର୍ଣ୍ଣଯୁଗ ହ୍ୟୁମାନ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥା ଖୋଲି ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ବିଜ୍ଞପ୍ତି ଅନୁଯାୟୀ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସ୍କିଲ୍ସ ଅଫ୍ କମ୍ପ୍ୟୁଟର ସିଷ୍ଟମ୍‌ ଅନୁଷ୍ଠାନ ଜରିଆରେ କମ୍ପ୍ୟୁଟର, ଟେଲରିଂ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ପ୍ରାଞ୍ଚାଇଜ୍‌ ନେବାକୁ ଇଚ୍ଛୁକ ସଂସ୍ଥାମାନେ ଆବେଦନ କରନ୍ତୁ। ଆବେଦନକାରୀଙ୍କୁ ସିକ୍ୟୁରିଟି ଓ ଆସେସ୍‌ମେଣ୍ଟ ଫି ବାବଦକୁ କୋର୍ସ ଅନୁସାରେ ଛାତ୍ରଛାତ୍ରୀଙ୍କ ପିଛା ୩୨୦ ଟଙ୍କାରୁ ୬ ହଜାର ପର୍ଯ୍ୟନ୍ତ ‘ସ୍ବର୍ଣ୍ଣଯୁଗ ହ୍ୟୁମାନ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସ୍କିଲ୍ସ ଅଫ୍ କମ୍ପ୍ୟୁଟର ସିଷ୍ଟମ୍‌ ’ ଖାତାରେ ଜମା କରିବାକୁ ପଡ଼ିବ। ପ୍ରଶିକ୍ଷଣ ସରିବା ପରେ ଏହି ଜମା ଅର୍ଥ ୫ ପ୍ରତିଶତ କମିସନ୍‌ ସହ ଫ୍ରାଞ୍ଚାଇଜ୍‌ ନେଇଥିବା ଆବେଦନକାରୀଙ୍କୁ ଫେରସ୍ତ କରାଯିବ। ଏଭଳି ବିଜ୍ଞାପନ ପ୍ରକାଶ ପାଇବା ପରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ପାଖାପାଖି ୩୦ରୁ ଊର୍ଦ୍ଧ୍ବ ସଂସ୍ଥା ଆବେଦନ କରିଥିଲେ। ଆବେଦନ ପରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ସଂସ୍ଥାମାନେ ଏମ୍‌ଓୟୁ ମୁତାବକ ଛାତ୍ରଛାତ୍ରୀ ସଂଗ୍ରହ କରି ପ୍ରଶିକ୍ଷଣ ପ୍ରଦାନ କରିବ‌ା ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରୁ ବାଙ୍କୀର ସାବିତ୍ରୀ ଏଣ୍ଟରପ୍ରାଇଜର୍ସର ପ୍ରୋପାଇଟର୍‌ ସମ୍ବିତ ନାୟକ ୪୩୨ ଜଣଙ୍କ ପାଇଁ ଏହି ଫି’ ବାବଦକୁ ୫ ଲକ୍ଷ ୩୫ ହଜାର ୮୪୦ ଟଙ୍କା ଜମା କରିଥିଲେ। ପ୍ରଶିକ୍ଷଣ ସରିବା ପରେ ସେ ସମ୍ପୃକ୍ତ ସଂସ୍ଥାକୁ ଜମା ଅର୍ଥ ଫେରସ୍ତ ଆଣିବା ପାଇଁ ଯାଇଥି‌‌ଲେ। ହେଲେ ସମ୍ପୃକ୍ତ ସଂସ୍ଥା ଅଫିସ୍‌ ବନ୍ଦ କରି ଫେରାର ହୋଇ ଯାଇଥିଲା।

ଏ ନେଇ ସେ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ। ଇଓଡବ୍ଲୁ ଏକ ମାମଲା(୧୪/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତ ରାୟପୁରରେ ଥିବା ଜଣାପଡ଼ିଥିଲା। ଏକ ସ୍ବତନ୍ତ୍ର ଟିମ୍‌ ସେଠାରୁ ତାଙ୍କୁ ଗିରଫ କରିଥିଲା। ଖୋଳତାଡ଼ ବେଳେ ଅଭିଯୁକ୍ତ ଏଭଳି ୧୪ କୋଟି ଜମା ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର