ଦାଦାବଟି ପାଇଁ ଦୋକାନ ଭଙ୍ଗାରୁଜା, ତଡ଼ିପାର୍ ଅଗ୍ନିର ଭାଇ ଆକାଶ ଗିରଫ

ଖଣ୍ଡଗିରି: ଦାଦାବଟି ନ ମଳିବାରୁ ଜଣେ ଡ୍ରେସ୍ ଦୋକାନୀଙ୍କୁ ମାଡ଼ ମାରିବା ସହ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ, ସ୍ଥାନୀୟ ସରକନ୍ତରା ଗାଁର ବିକେ ବିଶେଶ୍ବର ଷଡ଼ଙ୍ଗୀ ଓରଫ ଆକାଶ ଓ ବାହାଦଲପୁରର ମୃତ୍ୟୁଞ୍ଜୟ ସେଠୀ ଓରଫ ବଳିଆ। ଆକାଶର ଭାଇ ଅଗ୍ନି କମିସନରେଟ୍‌ ପୁଲିସର ତଡ଼ିପାର୍ ନୋଟିସ୍ ଯୋଗୁଁ ଖଣ୍ଡଗିରି ଅଞ୍ଚଳ ଛାଡ଼ି ଦେଇଥିବାରୁ ଏହି ମାମଲାରେ ତା’ର ସମ୍ପୃକ୍ତି ନଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁସା‌ରେ, ଗତ ଗୁରୁବାର ସନ୍ଧ୍ୟାରେ ଆକାଶ ଓ ବଳିଆର ସହଯୋଗୀମାନେ ମିଳିତ ଭାବେ ଡୁମୁଡୁମା ଫେଜ୍-୨ରେ ଥିବା ମେନକା ଡ୍ରେସ୍‌ ଷ୍ଟୋର୍‌ ଉପରେ ଆକ୍ରମଣ କରିଥିଲେ। ଦାଦାବଟି ନ ମିଳିବାରୁ ସେମାନେ ଦୋକାନ ମାଲିକଙ୍କୁ ମାଡ଼ ମାରିବା ସହ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପୁଲିସରେ ଅଭିଯୋଗ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ତେଣୁ ଭୟରେ ଦୋକାନ ମାଲିକ ଥାନାରେ ଅଭିଯୋଗ କରିନଥିଲେ। ତେବେ ନିକଟସ୍ଥ ସିସିଟିଭି କ୍ୟାମେରା‌‌ରେ କଏଦ୍‌ ହୋଇଯାଇଥିବା ଏହି ଗଣ୍ଡଗୋଳର ଦୃଶ୍ୟ ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ଖୋଳତାଡ଼ କରିବାରୁ ସାହସ କରି ଦୋକାନ ମାଲିକାଣୀ ସୋନି ମିଶ୍ର ଲିଖିତ ଅଭିଯୋଗ କଲେ ଓ ପୁଲିସ ମୁଖ୍ୟ ଅଭିଯୁକ୍ତ ଆକାଶ ଓ ବଳିଆକୁ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୩ ବର୍ଷ ହେଲା ଆକାଶ ଓ ତା’ର ଭାଇ ଅଗ୍ନି ଏକ ଗ୍ୟାଙ୍ଗ ଗଠନ କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କରାଜ୍ ଚଳାଇ ଆସିଛନ୍ତି। ବାରମ୍ବାର ଗିରଫ ହେବା ସତ୍ତ୍ବେ ସେମାନେ ଛିନ୍‌ତାଇ, ଲୁଟ୍‌ ଓ ଦାଦାବଟି ଆଦାୟ ଭଳି ଅପରାଧମାନ ଘଟାଇ ଚାଲିଛନ୍ତି। ସେମାନଙ୍କ ପାଇଁ ହିଁ ଗତବର୍ଷ ରଘୁନାଥନଗରରେ ବଡ଼ଧରଣର ଗଣ୍ଡଗୋଳ ଘଟିଥିଲା। ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାକୁ ଯାଇ ଖଣ୍ଡଗିରି ଥାନା ପୁଲିସ ରଘୁନାଥନଗରବାସୀଙ୍କ ଆକ୍ରମଣର ଶିକାର ହୋଇଥିଲା। ଆକାଶ-ଅଗ୍ନିର ଏଭଳି ଅଭ୍ୟାସଗତ ଅପରାଧ ପ‌ାଇଁ ଦୁଇ ମାସ ପୂର୍ବେ କମିସନରେଟ୍‌ ପୁଲିସ ଅଗ୍ନିକୁ ତଡ଼ିପାର୍ ନୋଟିସ୍ ଜାରି କରିଥିଲା। ତଥାପି କମିସନ‌ରେଟ୍‌ ପୁଲିସର ଏଭଳି ପଦକ୍ଷେପକୁ ଭ୍ରୂକ୍ଷେପ ନକରି ସେମାନଙ୍କ ଗ୍ୟାଙ୍ଗ୍‌ ଦାଦାବଟି ଆଦାୟ କରିବାରେ ଲିପ୍ତ ଅଛନ୍ତି।

ସମ୍ବନ୍ଧିତ ଖବର