ଚିତାରୁ କାଢ଼ି ଅର୍ଦ୍ଧଦଗ୍‌ଧ ମଣିଷ ମାଂସ ଖାଉଥିବା ଯୁବକ ଗିରଫ

ଚେନ୍ନାଇ: ଶ୍ମଶାନରେ ଅର୍ଦ୍ଧଦଗ୍ଧ ଏକ ମୃତଦେହରୁ ମାଂସ କାଟି ଖାଉଥିିବା ଜଣେ ୪୩ ବର୍ଷୀୟ ନିଶାସକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ତାମିଲନାଡୁର ତିରଚୁନେଲଭେଲି ଜିଲ୍ଲାର ବାସୁଦେବନାଲୁର ଥାନା ଅନ୍ତର୍ଗତ ଟି ରାମନାଥପୁରମ ଗାଁର ଲୋକେ ଅଭିଯୋଗ କରିଥିଲେ ଯେ ଗତ ଶନିିବାର ଦିନ ଗ୍ରାମର ଜଣେ ୭୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କ ମୃତଦେହକୁ ପରିବାର ଲୋକେ ଗାଁ ଶ୍ମଶାନରେ ସନ୍ଧ୍ୟା ବେଳେ ଦାହ ସଂସ୍କାର କରିଥିଲେ। ମୃତଦେହରେ ନିଆଁ ଲାଗି ଯିବା ପରେ ପରିବାର ଲୋକେ ଚାଲି ଆସିଥିଲେ। ତେବେ ରାତି ପ୍ରାୟ ସାଢ଼େ ୧ଟା ବେଳେ ପରିବାରର କିଛି ଲୋକ ଶ୍ମଶାନକୁ ଯାଇ ଶବ ସମ୍ପୂର୍ଣ୍ଣ ଜଳିଲା କିମ୍ବା ନାହିଁ , ତାହା ଦେଖିବାକୁ ଗଲା ବେଳେ ଏସ ମୁରୁଗେସନ୍‌ ନାମକ ଜଣେ ବ୍ୟକ୍ତି ଜଳନ୍ତା ଚିତାରୁ ଅର୍ଦ୍ଧଦଗ୍‌ଧ ମହିଳାଙ୍କ ମୃତଦେହ କାଢ଼ି ଦାଆରେ କାଟି ସେଥିରୁ ମାଂସ ଖାଉଛି ଦେଖିଥିଲେ । ଏପରିକି ତାଙ୍କୁ ଘଉଡ଼ାଇବା ପରେ ମଧ୍ୟ ସେ ନିର୍ବିକାର ଭାବେ ମଣିଷ ମାଂସ ଖାଉଥିିବାର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ତାଙ୍କୁ ଗିରଫ କରିଛି। ମାତ୍ର ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବାରୁ ତାଙ୍କୁ ଯାହା ପଚାରିଲେ ମଧ୍ୟ ସେ କିଛି ଉତ୍ତର ଦେଉ ନାହାଁନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଏହି ନିଶା ଖାଇବା ଯୋଗୁଁ ମୁରୁଗେସନ୍‌ଙ୍କୁ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିି ଯାଇଛି। ତେଣୁ ଏଣେ ତେଣେ ବୁଲି ମୁରୁଗେସନ୍‌ ଯାହା ପାଏ ତାହା ଖାଉଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର