ଚେନ୍ନାଇ: ଭିଡିଓ ସେୟାରିଂ ଆପ୍ ଟିକ୍ଟକ୍ରୁ ମିଳିଲେ ୩ ବର୍ଷ ତଳେ ପତ୍ନୀ ଓ ପିଲାଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କ ହାତ ଧରିଥିବା ବ୍ୟକ୍ତି। ଆଜ୍ଞା ହଁ, ଟିକ୍ଟକ୍ ହେତୁ ପୂର୍ବରୁ ବହୁ ଅଘଟଣ ଘଟିଥିଲେ ବି ଏବେ ଏହି ଟିକ୍ଟକ୍ ପାଇଁ ଜଣେ ପରିତ୍ୟକ୍ତା ପତ୍ନୀ ତାଙ୍କ ସ୍ୱାମୀଙ୍କ ସନ୍ଧାନ ପାଇବାରେ ସମର୍ଥ ହୋଇଛନ୍ତି।
ସୁରେଶ ନାମକ ଏହି ବ୍ୟକ୍ତି ଜଣକ ୨୦୧୬ ମସିହାରେ ପତ୍ନୀ ଓ ଦୁଇ ପିଲାଙ୍କୁ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ। ନିକଟରେ ବ୍ୟକ୍ତି ଜଣକ ଅନ୍ୟ ଜଣେ ମହିଳାଙ୍କ ସହ ଟିକ୍ଟକ୍ ଭିଡିଓ ବନାଇ ଛାଡ଼ିବା ପରେ ତାହାକୁ ତାଙ୍କ ପତ୍ନୀ ଦେଖି ସ୍ୱାମୀଙ୍କ ସନ୍ଧାନ ପାଇପାରିଛନ୍ତି।
/sambad/media/post_attachments/wp-content/uploads/2019/07/Untitled-24-263x300.jpg)
କ୍ରିଷ୍ଣାଗିରିର ବାସିନ୍ଦା ସୁରେଶ ଜୟପ୍ରଦାଙ୍କୁ ବିବାହ କରିଥିଲେ। ୨୦୧୬ ମସିହାରେ ସେ ପତ୍ନୀ ଓ ୨ ପିଲାଙ୍କୁ ଛାଡ଼ି କେଉଁଆଡ଼େ ପଳାଇବା ପରେ ଜୟପ୍ରଦା ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ୍ ସୁରେଶଙ୍କ ବନ୍ଧୁ ଓ ସଂପର୍କୀୟଙ୍କ ଘର ଖୋଜିବା ସହ ବହୁ ଖୋଳତାଡ଼ କରିଥିଲେ ବି ସୁରେଶ ମିଳିନଥିଲେ।
କିଛି ଦିନ ତଳେ ଜୟପ୍ରଦାଙ୍କର ଜଣେ ସଂପର୍କୀୟ ସୁରେଶଙ୍କୁ ଟିକ୍ଟକ୍ ଭିଡିଓରେ ଦେଖିବାକୁ ପାଇଥିଲେ। ସଂପର୍କୀୟ ଜଣକ ଜୟପ୍ରଦାଙ୍କୁ ଏ ବିଷୟରେ କହିବା ପରେ ଜୟପ୍ରଦା ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ଟ୍ରାକ୍ କରି ସୁରେଶଙ୍କୁ ହୋସୁରରୁ ଧରିଛି।