ତିରୁପ୍ପୁର: ତାମିଲନାଡୁର ତିରୁପ୍ପୁରରେ ବିବାହର ଦୁଇମାସ ପରେ ଯୌତୁକ ନିର୍ଯାତନା ସହି ନପାରି ନବବଧୂ ଜୀବନ ହାରି ଦେଇଛନ୍ତି। ଜୀବନ ହାରିବା ପୂର୍ବରୁ ନବବଧୂ ତାଙ୍କ ବାପାଙ୍କ ପାଖକୁ ୭ଟି ଅଡିଓ ବାର୍ତ୍ତା ପଠାଇଥିଲେ।
ସୂଚନା ମୁତାବକ, ପୋଷାକ ବ୍ୟବସାୟର ମାଲିକ ଏବଂ ପୂର୍ବତନ ରାଜନୈତିକ ପ୍ରାର୍ଥୀ ଆନ୍ନାଦୁରାଇଙ୍କ ଝିଅ ରିତାନ୍ୟା କେଭିନ କୁମାର (୨୮)ଙ୍କୁ ୨୦୨୫ ଏପ୍ରିଲ୍୧୧ରେ ଖୁବ ଆଡ଼ମ୍ବରରେ ବିବାହ କରିଥିଲେ। ବିବାହର ୧୦ଦିନ ପରେ ଶିଶୁଘରେ ରିତାନ୍ୟାଙ୍କ ଉପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଏହି ନିର୍ଯାତନା ସହି ନପାରି ରିତାନ୍ୟା ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିବା ପରେ ବାପାଙ୍କ ପାଖକୁ ୭ଟି ଅଡିଓ ବାର୍ତ୍ତା ପଠାଇ ନିଜ କାର୍ ଭିତରେ ବିଷ ପିଇ ଜୀବନ ହାରି ଦେଇଛନ୍ତି।
ମୃତ୍ୟୁ ପୂର୍ବରୁ ରିତାନ୍ୟା ତାଙ୍କ ବାପାଙ୍କ ପାଖକୁ ପଠାଇଥିବା ହ୍ୱାଟସଆପ୍ ଅଡିଓ ମେସେଜରେ କହିଥିଲେ, ‘ବାପା କେମିତି ଅଛ... ମୋ ସ୍ୱାମୀ ଏବଂ ଶାଶୁ ଘରଲୋକ ମୋତେ ଖୁବ ମାନସିକ ଯନ୍ତ୍ରଣା ଦେଉଛନ୍ତି। ମୁଁ ଆଉ ସେମାନଙ୍କର ପ୍ରତିଦିନର ମାନସିକ ନିର୍ଯାତନା ସହ୍ୟ କରିପାରୁନାହିଁ ବାପା। ସମସ୍ତେ ଚାହାଁନ୍ତି ଯେ ମୁଁ ଆପୋଷ ବୁଝାମଣା କରେ, କିନ୍ତୁ ମୁଁ ଆଉ ପାରୁନାହିଁ।
ଭାବିଥିଲି ସହି ଯିବି ଆଗକୁ ସବୁକିଛି ଠିକ ହୋଇଯିବ। କିନ୍ତୁ ଦିନକୁ ଦିନ ଶାଶୁଘରଲୋକଙ୍କ ମୋ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି। ମୁଁ ଜାଣିଛି ଏସବୁ ଜଣାଇଥିଲେ ତୁମ ମନ କଷ୍ଟ ହୋଇଥାଆନ୍ତା। ତୁମେ ମୋ ଶାଶୁଘର ଲୋକଙ୍କ ସହ ଏ ବିଷୟରେ କଥା ହୋଇଥାଅନ୍ତ। ସେମାନେ ତୁମ କଥାରେ ରାଜି ହୋଇଯାଇଥାଆନ୍ତେ କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ଅତ୍ୟାଚାର ସେମିତି ଜାରି ରହିଥାଆନ୍ତା। ଯାହାକୁ ନେଇ ବାପା ନା ତୁମେ ଶାନ୍ତିରେ ରହି ପାରି ଥାଆନ୍ତି ନା କି ମୁଁ। ଶେଷରେ ଏତିକି କହିବି ମୋତେ ଭୁଲ ବୁଝିବନି ବାପା....।’
ରିତାନ୍ୟାଙ୍କ ମୃତ୍ୟୁ ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ସ୍ୱାମୀ କଭିନକୁମାର, ଶ୍ୱଶୁର ଈଶ୍ୱରମୂର୍ତ୍ତି ଏବଂ ଶାଶୁ ଚିତ୍ରାଦେବୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଯୌତୁକ ନିର୍ଯାତନା ଏବଂ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗ ନେଇ ମାମଲା ରୁଜୁ କରାଯାଇଛି।