ଭୋପାଳ: ସ୍ବାମୀ ତିନ୍ ତଲାକ୍ ଦେବା ପରେ ଜଣେ ତାନ୍ତ୍ରିକ ମିଛ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ସ୍ବାମୀ ଓ ତାନ୍ତ୍ରିକକୁ ଗିରଫ କରିଛି।
ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ନଭେମ୍ବର ୨୩ରେ କୌଣସି କାରଣରୁ ତାଙ୍କର ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ଅଭିଯୁକ୍ତ ସ୍ବାମୀ ତିନ୍ ତଲାକ୍ ଦେଇଥିଲା। ତିନ୍ ତଲାକ୍ ଉପରେ ଏବେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିବା ଜାଣି ମଧ୍ୟ ସ୍ବାମୀ ଏଭଳି ଅପରାଧ କରିଥିବା ବେଳେ କିଛି ଦିନ ପରେ ନିଜର ମନ ବଦଳାଇଥିଲା ଅଭିଯୁକ୍ତ। ପୁଣି ଥରେ ବିବାହ କରିବାକୁ ଇଚ୍ଛା କରିବାରୁ ନିକାହ ହଲାଲା ପାଇଁ ପ୍ରଥମେ ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିବାର ପ୍ରଥା ରହିଛି ବୋଲି କହିଥିଲା ତାନ୍ତ୍ରିକ। ପୀଡ଼ିତା ତାନ୍ତ୍ରିକର କଥା ମାନି ତା’ ସହ ଯିବା ପରେ ଅଭିଯୁକ୍ତ ତାନ୍ତ୍ରିକ ଏକ ହୋଟେଲ ରୁମରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା।
ଏହି ଘଟଣା ପରେ ପୀଡ଼ିତା ନିଜ ସ୍ବାମୀଙ୍କ ପାଖରେ ପହଞ୍ଚି ପୂରା ଘଟଣା ଜଣାଇବା ପରେ ତାଙ୍କ ସ୍ବାମୀ ପୀଡ଼ିତାଙ୍କୁ ରଖିବା ପାଇଁ ମନା କରି ଦେଇଥିଲେ। ଯାହା ପାଇଁ ଶେଷରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ ବୋଲି ଜଣା ପଡ଼ିଛି।