ତପୋବନ ବସ୍ତି ଶିବ ହତ୍ୟା ମାମଲା: ଧରାପଡ଼ିଲା ଆଉ ଜଣେ ନାବାଳକ

ଖଣ୍ଡଗିରି: ଏପ୍ରିଲ୍‌ ୧ ତାରିଖରେ ସ୍ଥାନୀୟ ତପୋବନ ବସ୍ତିର ଶିବଶଙ୍କର ଗୌଡ଼(୧୯) ହତ୍ୟାକାଣ୍ଡ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଫେରାର୍ ଥିବା ନାବାଳକ ଅଭିଯୁକ୍ତକୁ ଗିରଫ କରିଛି। ବରମୁଣ୍ଡା ଦଳିତ ସାହିର ଏହି ନାବାଳକକୁ ଆଜି ଖୋର୍ଧା ଜୁଭେନାଇଲ୍‌ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବା ପରେ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ୧୦ ଜଣ ନାବାଳକ ଅଭିଯୁକ୍ତ ଗିରଫ ହେଲେ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଗତ ୧ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ତପୋବନ ବସ୍ତିର ଶିବ ଓ ଲିଙ୍ଗା ରେଡ୍ଡୀଙ୍କୁ ବରମୁଣ୍ଡା ଦଳିତ ସାହିର ୧୦ ଜଣ ନାବାଳକ ସଂଘବଦ୍ଧ ଆକ୍ରମଣ କରିଥିଲେ। ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ଘଟିଥିବା ଗଣ୍ଡଗୋଳର ପ୍ରତି‌ଶୋଧ ନେବାକୁ ଅଭିଯୁକ୍ତମାନେ ଯୋଜାନବଦ୍ଧ ଭାବେ ରାସ୍ତାରେ ଛକି ଶିବକୁ ଆକ୍ରମଣ କରିଥିଲେ। ଲୁହା ରଡ୍‌ରେ ପିଟି ପିଟି ଗୁରୁତର ଆହତ କରିବା ପରେ ପେଟରେ ଏକ ପେଚକସ୍‌ ପୂରାଇ ଦେଇଥିଲେ। ଫଳରେ ଶିବର ମୃତ୍ୟୁ ଘଟିଥିଲା। ୫ ତାରିଖରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ୍ ୯ ଜଣଙ୍କୁ ଗିରଫ କରିଥିଲା। ଆକ୍ରମଣରେ ବ୍ୟବହୃତ ଲୁହା ରଡ୍‌ ଓ ପେଚକସ୍ ଜବତ କରାଯାଇଥିଲା। ଦୁଇ ଜଣ ଛାତ୍ର ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର୍ଥୀ ଥିଲେ।

ସମ୍ବନ୍ଧିତ ଖବର