ଚେନ୍ନାଇ: ଶୁକ୍ରବାର ଦିନ ତାମିଲନାଡୁର କୁଡ୍ଡାଲୋର୍ ଜିଲ୍ଲା ଅନ୍ତର୍ଗତ କୁରିଞ୍ଚିପାଡ଼ିର ଏକ ସ୍କୁଲ୍ ପରିଧି ଭିତରେ ଦିନ ଦି’ପହରରେ ଜଣେ ୨୩ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଛି।
ପୁଲିସ କହିବା ଅନୁସାରେ, କୁରିଞ୍ଚିପାଡ଼ିର ବାସିନ୍ଦା ଓ ଗାୟତ୍ରୀ ମାଟ୍ରିକ୍ୟୁଲେସନ୍ ସ୍କୁଲ୍ର ଶିକ୍ଷୟିତ୍ରୀ ପୀଡ଼ିତା ଏସ୍ ରମ୍ୟା ଜଣେ ବ୍ୟକ୍ତି ଦେଇଥିବା ବିବାହ ପ୍ରସ୍ତାବ ଅଗ୍ରାହ୍ୟ କରିଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି।
ସକାଳ ୮ଟା ସୁଦ୍ଧା ରମ୍ୟା ସ୍କୁଲ୍ ପରିସରରେ ପହଞ୍ଚି ଯାଇଥିଲେ। ସ୍କୁଲ୍ ନିକଟରେ ରହୁଥିବାରୁ ସେ ବେଳସୁ ସ୍କୁଲ୍କୁ ଚାଲି ଆସନ୍ତି। ସେ ସ୍କୁଲ୍ ପରିସରରେ ପହଞ୍ଚିବା ବେଳେ ସେଠାରେ ଅନ୍ୟ କେହି ନ ଥିଲେ। ଆମେ ସନ୍ଦେହ କରୁଛୁ ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ପ୍ରାୟ ସକାଳ ୯ଟାରେ ରମ୍ୟା ରକ୍ତ ରଞ୍ଜିତ ଭୂଇଁରେ ପଡ଼ିଥିବ କଥା ଅନ୍ୟ ଜଣେ ଶିକ୍ଷକ ଦେଖିବାରୁ ଆମେ ଘଟନା ସଂକ୍ରାନ୍ତରେ ଅବଗତ ହେଲୁ।
ସମ୍ଭବତଃ ବିବାହ ପ୍ରସ୍ତାବ ଅଗ୍ରାହ୍ୟ କରିବାରୁ ରମ୍ୟାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ କହୁଛି।
ରମ୍ୟାଙ୍କ ପିତା ସୁବ୍ରମଣିଆନ୍ କହିଛନ୍ତି ଯେ ବିରୁଦ୍ଧାଚଳମ୍ର ରାଜସେକର ନାମକ ବ୍ୟକ୍ତି ତାଙ୍କ ଝିଅକୁ ହତ୍ୟା କରିଛନ୍ତି।
ଦୁହେଁ ପରସ୍ପରଙ୍କୁ କଲେଜ ପଢ଼ା ସମୟରୁ ଜାଣିଥିବା କଥା କହି ରାଜସେକରଙ୍କ ପରିବାର ବାରମ୍ବାର ମୋ ଝିଅ ସହ ତାଙ୍କର ବାହାଘର କରାଇବାକୁ କହିଆସୁଥିଲେ। କିନ୍ତୁ, ଆମେ ଏ ପ୍ରସ୍ତାବରେ ଆଗ୍ରହୀ ନ ଥିଲୁ, ଝିଅ ବି ମନା କଲା। ସେବେଠାରୁ ରାଜସେକର ମୋ ଝିଅକୁ ହଇରାଣ କରିଆସୁଥିଲେ। ଆମର ସନ୍ଦେହ, ସେ ହିଁ ଝିଅକୁ ହତ୍ୟା କରିଛନ୍ତି।
ସନ୍ଦିଗ୍ଧ ରାଜସେକର ନିରଦ୍ଦେଶ ହୋଇ ଯାଇଛନ୍ତି। ତାଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି।