ଜ୍ୱରରେ କମ୍ପିକମ୍ପି ଶୋଇ ପଡ଼ିଥିଲା ଶିଶୁ, ଶ୍ରେଣୀଗୃହ ବାହାର ପଟୁ ତାଲା ପକାଇ ଘରକୁ ଚାଲିଯାଇଥିଲେ ଶିକ୍ଷକ

ବହରାଇଚ: ବହରାଇଚ ଜିଲ୍ଲାରେ ଏକ ପ୍ରାଥମିକ ପ୍ରାଇମେରୀ ସ୍କୁଲରେ ଶିକ୍ଷକଙ୍କ ଅବହେଳାର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ତୃତୀୟଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରକୁ ଶିକ୍ଷକ ସ୍କୁଲର ଶ୍ରେଣୀଗୃହ ଭିତରେ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ଜ୍ୱରରେ କମ୍ପିକମ୍ପି ଶୋଇପଡ଼ିଥିବା ଛାତ୍ରର ଯେତେବେଳେ ନିଦ ଭାଙ୍ଗିଥିଲା ସେ କ୍ଲାସ୍‌ ରୁମ୍‌ରେ ନିଜକୁ ଏକାକି ଦେଖି ଜୋରଜୋର୍‌ରେ କାନ୍ଦିବାକୁ ଲାଗିଥିଲା। ପିଲାର କାନ୍ଦ ଶୁଣି ସ୍ଥାନୀୟବାସିନ୍ଦା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ଓ ପିଲାର ଏଭଳି ଅବସ୍ଥା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରେଣୀଗୃହ ବାହାର ପାର୍ଶ୍ୱରେ ପଡ଼ିଥିବା ତାଲାକୁ ଭାଙ୍ଗି ଶିଶୁକୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲା।

ସୂଚନାଯୋଗ୍ୟ, ମୋହମ୍ମଦପୁର ଦେବମଲ ବିକାଶଖଣ୍ଡ ଅନ୍ତର୍ଗତ ପ୍ରାଥମିକ ସ୍କୁଲ ରାମଜିଓ୍ଵାଲାରେ ଗୁରୁବାର ସ୍କୁଲ ଛୁଟି ସମୟରେ ଶିକ୍ଷକ ଶ୍ରେଣୀଗୃହରେ କିଏ ରହିଯାଇଛି କି ନାହିଁ ତା’ ନପରଖି ଶ୍ରେଣୀଗୃହର ବାହାର ପଟୁ ତାଲା ପକାଇ ଘରକୁ ଚାଲି ଯାଇଥିଲେ। ଏକଘଣ୍ଟା ପରେ ସ୍କୁଲପାଖ ଖେଳ ପଡ଼ିଆରେ ଗ୍ରାମର ପିଲାମାନେ ଖେଳୁଥିବା ସମୟରେ ହଠାତ୍‌ ସେମାନେ ସ୍କୁଲ ଭିତରୁ କାନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ। ଏହାପରେ ସେହି ପିଲା ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ସ୍କୁଲକୁ ଆସି ଦେଖିବା ପରେ ତୃତୀୟ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ର ଝରକା ପାଖରେ ଛିଡ଼ା ହୋଇ ଜୋରଜୋରରେ କାନ୍ଦିବାକୁ ଲାଗିଥିଲା।

ଜିଲ୍ଲାର ବିଏଏସ୍‌ ଅଧିକାରୀ ମହେଶ ଚନ୍ଦ୍ରଙ୍କ କହିବାନୁସାରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ଏହି ଘଟଣା ବିଷୟରେ ଖବର ମିଳିବା ପରେ ସେ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଯିଏବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କୋଠର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର