ଲମ୍ବା ନାକ ଯୋଗୁଁ କନ୍ୟା ବାହା ହେବାକୁ ମନା କରିବାରୁ ଅଦାଲତକୁ ଗଲେ ଇଞ୍ଜିନିୟର୍‌ ବର

ବେଙ୍ଗାଲୁରୁ: ଲମ୍ବା ହୋଇ ବଙ୍କି ଯାଇଥିବା ନାକକୁ ପ୍ଲାଷ୍ଟିକ୍‌ ସର୍ଜରି କରି ସଂଶୋଧନ ନ କଲେ ବାହା ହେବି ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଜଣେ ଇଞ୍ଜିନିୟର୍‌ ଯୁବତୀ କହିବାରୁ ବେଙ୍ଗାଲୁରର ସେ ଇଞ୍ଜିନିୟର୍‌ ବର ଅଦାଲତର ଆଶ୍ରୟ ନେଇଛନ୍ତି।

ସମ୍ପୃକ୍ତ ଯୁବତୀ ଏବଂ ତାଙ୍କ ଭଉଣୀ ଓ ବାପାଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକରଣ କରାଇବାକୁ ଅଦାଲତ ସେ ଇଞ୍ଜିନିୟର୍‌ ବରଙ୍କୁ ଆଦେଶ ଦେଇଛନ୍ତି।

ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏକ ‘ମାଟ୍ରିମନିଆଲ୍‌ େଓ୍ଵବ୍‌ସାଇଟ୍‌’ରେ କୋରାମଙ୍ଗଳବାସୀ ୩୫ ବର୍ଷିୟ ବର ଓ ଆମେରିକାରେ ଅବସ୍ଥାପିତ ୩୫ ବର୍ଷୀୟ କନ୍ୟା ଭେଟାଭେଟି ହୋଇଥିଲେ। ଅନ୍‌ଲାଇନ୍‌ରେ କିଛି ଦିନ ସମ୍ପର୍କ ରଖିବା ପରେ ଉଭୟ ବିଭା ହେବାକୁ ନିଷ୍ପତ୍ତି ନେଇଥିଲେ।
ଅଗଷ୍ଟ ୧୩ ତାରିଖ ଦିନ କନ୍ୟା ବେଙ୍ଗାଲୁରୁ ଆସି ଏକ ଷ୍ଟାର୍‌ ହୋଟେଲ୍‌ରେ ମଧ୍ୟାହ୍ନ ଭୋଜନ କରିବା ପରେ କଥା ପକ୍କା କରିବାକୁ ବାହାରିଥିଲେ। କନ୍ୟାଙ୍କ ଅନୁରୋଧ କ୍ରମେ ବର ତାଙ୍କର ବଡ଼ଭଉଣୀ ଲକ୍ଷ୍ମୀଙ୍କୁ ଭେଟି ତାଙ୍କ ସମ୍ମତି ନେଇଥିଲେ। ଅଗଷ୍ଟ ୨୬ ତାରିଖ ଦିନ ବର ପିତାମାତା କନ୍ୟାଙ୍କ ପିତାମାତାଙ୍କୁ ଏଚ୍‌ଏସ୍‌ଆର୍‌ ଲେଆଉଟ୍‌ ବାସଭବନରେ ଭେଟିଥିଲେ। ସେପ୍ଟେମ୍ବର ୯ ତାରିଖ ଦିନ ତାଙ୍କ ଘରେ ନିର୍ବନ୍ଧ ହୋଇ ଜାନୁଆରି ୩୦ ତାରିଖରେ ବାହାଘର ହେବ ବୋଲି ସ୍ଥିର ହୋଇଥିଲା। ବରପକ୍ଷ ଅରାଜି ଥିଲେ ବି ତିରୁମାଳା ମନ୍ଦିରରେ ବାହାଘର ହେବ ବୋଲି କନ୍ୟା ଅଡ଼ି ବସିଥିଲା ଏବଂ ସେମାନେ ରାଜି ହୋଇଥିଲେ।

ତଦନୁସାରେ, ବର ତିରୁମାଲା ଯାଇ ୧ ଲକ୍ଷ ଟଙ୍କା ଦେଇ ୭୦ଟି କୋଠରି ବରାଦ କରିବା ସହ ଖାଦ୍ୟପାନୀୟ ବ୍ୟବସ୍ଥା ମଧ୍ୟ କରିଥିଲେ। ଲୁଗାପଟା ଏବଂ ଉପହାର ବାବଦରେ ବର ୪ ଲକ୍ଷ ଟଙ୍କା ବ୍ୟୟ କରିଥିଲେ।

ଇତିମଧ୍ୟରେ କନ୍ୟା ଚାକିରିରେ ଯୋଗ ଦେବାକୁ ଆମେରିକା ଫେରିଯାଇଥିଲେ। ଫେରିଯିବା ପରେ କନ୍ୟା ନିଜର ନିଷ୍ପତ୍ତି ବଦଳାଇ ବାହାଘର ଭାଙ୍ଗି ଦେବାକୁ ଫୋନ୍‌ କଲେ।

ବର ବାରମ୍ବାର ଫୋନ୍‌ କଲେ ବି କନ୍ୟା ନିଷ୍ପତ୍ତି ବଦଳାଇ ନ ଥିଲେ। ଓଲଟି ବାହାନା ଦେଖାଇ କହିଥିଲେ ନିଜର ଲମ୍ବା ଓ ବଙ୍କା ନାକକୁ ନାକକୁ ପ୍ଲାଷ୍ଟିକ୍‌ ସର୍ଜରି କରି ସଂଶୋଧନ ନ କଲେ ବାହାଘର ହେବନାହିଁ।

ଶେଷକୁ ବାଧ୍ୟ ହୋଇ ବର ଅଦାଲତର ଆଶ୍ରୟ ନେଲେ। ତାଙ୍କର ଅଭିଯୋଗ କନ୍ୟା ଅନ୍ୟ କେତେଜଣଙ୍କୁ ମଧ୍ୟ ଏମିତି ଠିକିଛନ୍ତି। ଅଦାଲତଙ୍କ ଆଦେଶ ଅନୁସାରେ ପୁଲିସ କନ୍ୟା ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର