ମୋବାଇଲ୍‌ ଲାଗି ଭଉଣୀ ସହ କଜିଆ କରିବା ପରେ ପିସ୍ତଲ ମାରି ଆତ୍ମହତ୍ୟା କଲା ୧୭ ବର୍ଷିୟ ଭାଇ

ନୂଆଦିଲ୍ଲୀ: ବିନ୍ଦାପୁର ଅନ୍ତର୍ଗତ ମାଟିଆଲା ଅଞ୍ଚଳରେ ଗୁଲ୍‌ଶନ୍‌ ସେହରାଓ୍ଵାତ୍‌ ନାମକ ଜଣେ ୧୭ ବର୍ଷିୟ ବାଳକ ଛାତିରେ ଗୁଳିଚୋଟ ଖାଇ ଜୀବନ ହାରିଛନ୍ତି। ତାଙ୍କ ପକେଟରୁ ଦିଲ୍ଲୀ ପୁଲିସ ୪ଟି ଅଫୁଟା ଗୁଳି ଜବତ କରିଛି। ଘଟନାରେ ବ୍ୟବହୃତ ପିସ୍ତଲଟିକୁ ମଧ୍ୟ ଜବତ କରାଯାଇଛି। ଏହା ଏକ ଦେଶୀ ପିସ୍ତଲ୍‌ ଏବଂ ଏଥିରେ ଦୁଇ ରାଉଣ୍ଡ୍‌ ଗୁଳି ଥିଲା।

ଜଣେ ବାଳକ ଗୁଳି ଚୋଟ ଖାଇ ମରୁଛି ବୋଲି ସକାଳ ୬ଟା ବେଳେ ଆକାଶ ହସ୍‌ପିଟାଲ୍‌ରୁ ବିନ୍ଦାପୁର ପୁଲିସ ଫୋନ୍‌ ପାଇଥିଲା ବୋଲି ଡେପୁଟି ପୁଲିସ କମିସନ୍‌ ଆଣ୍ଟୋ ଆଲଫୋନସୋ କହିଛନ୍ତି।

ଡାକ୍ତରଖାନାର ଜଣେ ଡାକ୍ତରଙ୍କ କହିବାନୁସାରେ, ଡାକ୍ତରଖାନାକୁ ଅଣାଯିବା ବେଳେ ଗୁଲ୍‌ଶନ୍‌ ଦେହରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା।

ଗୁଳିଚୋଟଜନିତ କ୍ଷତ କଳାଚିଆ ଦିଶୁଥିବାରୁ ଗୁଳି ଅତି ନିକଟରୁ ବାଜିଥିବା ଜଣାପଡୁଛି। ତା’ର ପକେଟ ଯାଞ୍ଚ କରାଯିବା ପରେ ସେଥିରୁ ୪ଟି .୭୬୫ ଏମ୍‌ଏମ୍‌ର ଗୁଳି ମିଳିଛି ବୋଲି ପୁଲିସ କହିଛି।

ଗୁଲ୍‌ଶନ୍‌ଙ୍କ ବାପା ରଣବୀର ସିଂହ ସେହରାଓ୍ଵତ୍‌ ଡାକ୍ତରଙ୍କୁ କହିଛନ୍ତି ଯେ ପୁଅ ନିଜକୁ ନିଜେ ଗୁଳି ମାରିଛି। ସେ ଗୋଟାଏ ମୋବାଇଲ୍‌ ଫୋନ୍‌ ଭାଙ୍ଗି ପକାଇ ଥିବାରୁ ଭଉଣୀ ସହ ତା’ର କଜିଆ ହୋଇଥିଲା। ରାଗିଯାଇ ଶନିବାର ରାତିରେ ସେ ଘରୁ ପଳାଇ ଯାଇଥିଲା। ରବିବାର ସକାଳେ ସେ ଘରକୁ ଫେରି ଡୋର୍‌ବେଲ୍‌ ବଜାଇବା ପରେ ନିଜକୁ ଗୁଳି ମାରିଥିଲା। ସିଂହ କହନ୍ତି ସେ କବାଟ ଖୋଲି ଦେଖିଲା ବେଳକୁ ପୁଅ ଲହୁଲୁହାଣ ହୋଇ ତଳେ ପଡ଼ିଛି।

ଅଶୋକ ବିହାରସ୍ଥିତ ସତ୍ୟବତୀ କଲେଜରେ ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ ପାଠ୍ୟକ୍ରମରେ ଗୁଲ୍‌ଶନ୍‌ ପ୍ରଥମ ବାର୍ଷିକ ପଢୁଥିଲେ। ତାଙ୍କ ବାପା ମହିପାଳପୁର ଠାରେ ଏକ ଦରିଆପାରି କୋରିୟର୍‌ କମ୍ପାନି ନିମନ୍ତେ ନିଜ ଭ୍ୟାନ୍‌ ଚଳାନ୍ତି।

ସମ୍ବନ୍ଧିତ ଖବର