ଉତ୍ତରପ୍ରଦେଶର: ଉତ୍ତରପ୍ରଦେଶର କାନପୁରର ଚୌବେପୁର ଅଞ୍ଚଳରୁ ଏକ ଲଜ୍ଜାଜନକ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀର ଛାତ୍ର ପଡ଼ୋଶୀରେ ରହୁଥିବା ଜଣେ ପାଞ୍ଚ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ନାବାଳକ ଜଣକ ଫୋନରେ ଅଶ୍ଳୀଳ ସିନେମା ଦେଖିବା ପରେ ଏଭଳି ଲଜ୍ଜାଜନକ କାମ କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି।

Advertisment

କାନପୁରର ପୁଲିସ କମିଶନର ଆଶୁତୋଷ କୁମାର ଏହି ଦୁଷ୍କର୍ମ ଘଟଣାକୁ ନେଇ କହିଛନ୍ତି, ‘ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି। ଗିରଫ ଛାତ୍ର ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଗତ ସୋମବାର ଅପରାହ୍ନରେ ଏହି ଘଟଣା ଚୌବେପୁର ସହରର ଏକ ଗାଁରେ ଘଟିଛି। ପୀଡ଼ିତା ଶିଶୁଙ୍କ ବାପା କାମ ପାଇଁ ବାହାରକୁ ଯାଇଥିବା ବେଳେ ମା’ କୌଣସି କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ପଡ଼ୋଶୀରେ ରହୁଥିବା ନାବାଳକ ଶିଶୁ ସହିତ ଖେଳିବାର ବାହାନା କରି ତା’ ସହିତ ଦୁଷ୍କର୍ମ କରିଥିଲା। 

ଶିଶୁର ଚିତ୍କାର ଶୁଣି ମାଆ ଘଟଣାସ୍ଥଳକୁ ଧାଇଁ ଆସିବାରୁ ନାବାଳକ ଜଣକ ଦୌଡ଼ି ନିଜ ଘରକୁ ଚାଲିଯାଇଥିଲା। ଝିଅଟିର ଗମ୍ଭୀର ଅବସ୍ଥା ଦେଖି ମା ଭାଙ୍ଗି ପଡ଼ିଥିଲେ। ଝିଅର ଏପରି ଅବସ୍ଥା କେମିତି ହେଲା କିଛି ବୁଝି ପାରୁ ନଥିଲେ। ମନକୁ ସ୍ଥିର କରି ଶିଶୁକୁ ଘଟଣା ବିଷୟରେ ପଚାରିବାରୁ ପୀଡ଼ିତା ମାଆଙ୍କ ସାମ୍ନାରେ ସବୁକିଛି ଖୋଲିକି କହିଥିଲା। 

ବିଳମ୍ବିତ ରାତିରେ ପୀଡିତାଙ୍କ ବାପା ଓ ମା’ ଝିଅଟିକୁ ଧରି ଚୌବେପୁର ପୁଲିସ ଷ୍ଟେସନକୁ ନେଇ ଘଟଣା ବିଷୟରେ ଜଣାଇଥିଲେ। ପୀଡ଼ିତ ପରିବାରଲୋକଙ୍କ ଅଭିଯୋଗ ଏବଂ ଝିଅଟିରକୁ ବୟାନ ଆଧାରରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅଭିଯୁକ୍ତ ବିରୋଧରେ ପକ୍ସୋ ଆକ୍ଟ ସମେତ ଅନେକ ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ପୁଲିସ ତୁରନ୍ତ ପୀଡିତାଙ୍କୁ ଚିକିତ୍ସା ଏବଂ ଡାକ୍ତରୀ ପରୀକ୍ଷା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)କୁ ପଠାଇ ଦେଇଥିଲା।

ଏହି ଘଟଣାକୁ ନେଇ ପୁଲିସ ଅଭିଭାବକମାନଙ୍କୁ ଚେତାବନୀ ଦେଇ କହିଛି, ‘ଆପଣଙ୍କ ପିଲା ଯେତେବେଳେ ବି ମୋବାଇଲ ଫୋନ ଧରୁଛି। ସେ ସେଥିରେ କ’ଣ ଦେଖୁଛି କ’ଣ କରୁଛି ସେଥିପ୍ରତି ସଜାଗ ହୋଇଯାଆନ୍ତୁ। ନଚେତ ଆଗକୁ କିଛି ବି ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।