ପୁରୁଣା ଭୁବନେଶ୍ୱର : ଏୟାରଫିଲ୍ଡି ଥାନା ଅଧୀନ ପୁନମାଗେଟ୍ ଅଞ୍ଚଳରେ ଜଣେ ୧୨ବର୍ଷର ନାବାଳିକାକୁ ଅପହରଣ କରି ବିକ୍ରି ଉଦ୍ୟମ ହୋଇଛି। ଏନେଇ ନାବାଳିକା ଜଣକ ଏକ ସେଚ୍ଛାସେବୀ ସଂସ୍ଥା ସହାୟତାରେ ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଭିଣୋଇ ରନକ କୁମାର ତାଙ୍କୁ ବିହାର ନେଇ ଖରାପ କାମରେ ଲଗାଇବା ନେଇ ଅଭିଯୋଗରେ ଦର୍ଶାଯାଇଛି। ତେବେ ପୁଲିସ ପାରିବାରିକ ଗଣ୍ଡୋଗଳ କହି ନାବାଳିକା ଓ ସେଚ୍ଛାସବୀଙ୍କୁ ଥାନାରୁ ଫେରାଇ ଦେଇଛି। ନାବାଳିକା ଜଣକ ଅସହାୟ ଅବସ୍ଥାରେ ସେଚ୍ଛାସେବୀଙ୍କ ସହଯୋଗ ଲୋଡ଼ିଛି।
ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ସେ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ଅର୍ଥ ରାଜଗାର କରିଥାନ୍ତି। ତାଙ୍କ ବାପାଙ୍କ ଦେହାନ୍ତ ପରେ ସେ ଏକ ନୃତ୍ୟ ଅନୁଷ୍ଠାନ ସହାୟତାରେ ଏପରି ରୋଜଗାର କରୁଛନ୍ତି। ତେବେ ଏକ ଷ୍ଟେଜ୍ ସୋ କରିବା ପାଇଁ ତାଙ୍କ ଭିଣୋଇଙ୍କଠୁ ସେ ୧୪ହଜାର ଟଙ୍କା ଧାର ଆଣିଥିଲେ। ଏହା ସୁଜି ନପାରିବାରୁ ଭିଣୋଇ ତାଙ୍କ ନିଜ ଘର ବିହାର ଅଞ୍ଚଳକୁ ନେଇ ଯିବାକୁ କହିଥିଲେ। ସେଠାରେ ନୃତ୍ୟ କରିବା ସହ ଖରାପ କାମରେ ଲାଗାଇବା ପାଇଁ ଯୋଜନା କରିଥିଲେ।
ଘଟଣା ସମ୍ପର୍କରେ ଭିଣୋଇ ଫୋନ୍ରେ କଥାବାର୍ତ ହେଉଥିବା ବେଳେ ନାବାଳିକା ଶୁଣିଥିଲେ। ପୂର୍ବାହ୍ଣ ପ୍ରାୟ ୧୦ଟାରେ ଭିଣୋଇ ନାବାଳିକାଙ୍କୁ ବିହାର ନେବାକୁ ଉଦ୍ୟମ କରିବା ବେଳେ ସେ ନଯିବାରୁ ତାକୁ ମାଡ଼ ମାରିଥିଲେ। ନଗଲେ ୫୦ହଜାର ଟଙ୍କା ନେଇଥିବା ମିଥ୍ୟା ମାମଲା କରିବା ନେଇ ଧମକ ଦେଇଥିଲେ। ନଚେତ୍ ହତ୍ୟା କରିବା ନେଇ ଧମକ ଦେଇଥିଲେ ବୋଲି ନାବାଳିକା ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ନାବାଳିକା ତାଙ୍କ ସାଙ୍ଗରେ ଯିବାକୁ ରାଜି ନହେବାରୁ ଭିଣୋଇ ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ। ଏଥି ସହ ନାବାଳିକାଙ୍କୁ ଘରେ ତାଲା ପକାଇ ଦେଇଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗୋଟିଏ ଘରେ ରହି ଯେତେ ନେହୁରା ହୋଇଥିଲେ ମଧ୍ୟ ଭିଣୋଇ ଓ ଭଉଣୀ କିଛି ଶୁଣି ନଥିଲେ।
ତେବେ କୌଶଳ କ୍ରମେ ରାତି ପ୍ରାୟ ୯ଟାରେ ନାବାଳିକା ସେଠାରୁ ଖସି ପଳାଇ ଆସିଥିଲେ। ତେବେ ତାଙ୍କ ମା’ ଏପରି ଘଟଣା ସମ୍ପର୍କରେ ଚପ୍ ରହିଛନ୍ତି। ଏନେଇ ନାବାଳିକା ଜଣଙ୍କ ସେଚ୍ଛାସେବୀ ସଂସ୍ଥା ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହା ପାରିବାରିକ ମାମଲା କହି ପୁଲିସ ତାଙ୍କୁ ଫେରାଇ ଦେଇଥିଲା। ଏନେଇ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ତାଙ୍କ ମା’ ହେଉଛନ୍ତି ଲିଗାଲ ଗାର୍ଡିଆନ୍। ତାଙ୍କ କହିବା ଅନୁଯାୟୀ ପଦକ୍ଷେପ ନିଆଯିବ। ଯଦି କିଛି ସନ୍ଦେହ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।