କେନ୍ଦୁଝରର ନାବାଳିକାକୁ ରାଜଧାନୀରେ ଦୁଷ୍କର୍ମ

ଭୁବନେଶ୍ୱର : କେନ୍ଦୁଝରର ଜଣେ ନାବାଳିକା(୧୫)ଙ୍କୁ ଜଣେ ଯୁବକ ରାଜଧାନୀର ଏକ ଥାନା ପଛପଟ ପରିତ୍ୟକ୍ତ ଘରେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ଏତେ ନୃଶଂସ ଥିଲା ଯେ ନାବାଳିକାଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗଗୁଡ଼ିକୁ କାମୁଡ଼ି ରକ୍ତାକ୍ତ କରି ପକାଇଥିଲା। ରାତ୍ରିକାଳୀନ ପୁଲିସ ଟିମ୍‌ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତା ନାଁ ଜଗନ୍ନାଥ ରାଉତ। ଘର ସହିଦନଗର ଥାନା ଅଧୀନ ତେଲୁଗୁ ବସ୍ତିରେ। ଜଗନ୍ନାଥ ବିରୋଧରେ ମହିଳା ଥାନା ପୁଲିସ ଦୁଷ୍କର୍ମ ସହିତ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ଜଗନ୍ନାଥକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସହିଦନଗର ଥାନା ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, କେନ୍ଦୁଝରର ଏହି ନାବାଳିକା ଜଣକ ଘରୁ ରାଗି କରି ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ ସେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ। କୌଣସି ଏକ କାମରେ ବସଷ୍ଟାଣ୍ଡ ଯାଇଥିବା ଜଗନ୍ନାଥଙ୍କ ନଜର ପଡ଼ିଥିଲା ସଂପୃକ୍ତ ନାବାଳିକା ଉପରେ। ସେଠାରେ ନାବାଳିକାଙ୍କୁ ସହଯୋଗ ଓ ଚାକିରି କରାଇ ଦେବା ଆଳରେ କଥାବାର୍ତା କରିଥିଲା। ଏହା ପରେ ନାବାଳିକାଙ୍କୁ ବାଇକ୍‌ରେ ବସାଇ ରାଜଧାନୀର ବିଭିନ୍ନ ଆଡ଼େ ବୁଲାଇଥିଲା। ଦୁହେଁ ପ୍ରଥମେ ମହାରାଜା ହଲ୍‌ରେ ନୁନ୍‌ ସୋ’ ଫିଲ୍ମ ଦେଖିଥିଲେ। ପରେ ପୁଣି ଥରେ ବରମୁଣ୍ଡା ଯାଇ ଏକ ହୋଟେଲରେ ଖାଇଥିଲେ। ଏହା ପରେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ସତ୍‌ସଙ୍ଗ ମନ୍ଦିର ନିକଟ ମୁଖାର୍ଜୀ ପାର୍କରେ ଦୁହେଁ ବୁଲାବୁଲି କରିଥିଲେ। ପରେ ଭିଏସଏସ୍‌ନଗରର ଏକ ହୋଟେଲରେ ଦୁହେଁ ରାତ୍ରିଭୋଜନ କରିଥିଲେ। ନାବାଳିକା ଜଣକ ଖାଉଥିବାବେଳେ ଜଗନ୍ନାଥ ଭିଏସ୍‌ଏସ୍‌ନଗର ଏକ ମଦ ଦୋକାନରୁ ମଦ କିଣିଥିଲା। ପରେ ଦୁହେଁ ସହିଦନଗର ଥାନା ପଛପଟ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ସ୍କୁଲ ଭିତରକୁ ଯାଇଥିଲେ। ସେଠାରେ ଜଗନ୍ନାଥ ମଦ୍ୟପାନ କରିବା ସହ ନାବାଳିକାକୁ ୩ ଥର ଦୁଷ୍କର୍ମ କରିଥିଲା।

ରାତି ପ୍ରାୟ ସାଢ଼େ ୨ଟା ବେଳେ ଜଗନ୍ନାଥ ନାବାଳିକାଙ୍କୁ ସେହି ଘରେ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ପଦାକୁ ଆସିଥିଲା ଏବଂ ସେଠାରୁ ପଳାଇଯିବାକୁ ବାଇକ୍‌ ଷ୍ଟାର୍ଟ କରୁଥିଲା। ଏହି ସମୟରେ ନାବାଳିକା ଜଣକ ଯନ୍ତ୍ରଣାରେ ଚିତ୍କାର ଛାଡ଼ୁଥିଲେ। ସହିଦନଗର ଥାନା ପୁଲିସର ପାଟ୍ରୋଲିଂ ଟିମ୍‌ ସେହି ସମୟରେ ସେହି ରାସ୍ତାରେ ଯାଉଥିଲା। ଯୁବକ ଜଣକ ତରବରିଆ ହୋଇ ବାଇକ୍‌ ଷ୍ଟାର୍ଟ କରିବା ଏବଂ ଘର ଭିତରୁ ନାବାଳିକାଙ୍କ ଚିତ୍କାର ଶୁଣିବା ପରେ ଏଏସ୍‌ଆଇ ଅଭୟ ରାଉତଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ସେ ଜଗନ୍ନାଥଙ୍କୁ ଅଟକାଇଥିଲେ। ପୁଲିସ ସେହି ଘରକୁ ଭିତରକୁ ଯାଇ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲା।

ଜଗନ୍ନାଥ ପ୍ରଥମେ ପୁଲିସ ଆଗରେ ଦୁଷ୍କର୍ମ ଘଟଣାକୁ ମାନୁ ନ ଥିଲା। ତେବେ ପୁଲିସ ଜଗନ୍ନାଥ ଓ ନାବାଳିକାଙ୍କୁ ସେହି ରାତିରେ କ୍ୟାପିଟାଲ ହସ୍ପିଟାଲ ପଠାଇବା ପରେ ଦୁହିଁଙ୍କର ଡାକ୍ତରୀମାଇନା କରାଯାଇଥିଲା। ଡାକ୍ତରୀମାଇନାରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ସହିଦନଗର ଥାନା ପୁଲିସ ମାମଲାଟିକୁ ମହିଳା ଥାନାକୁ ହସ୍ତାନ୍ତର କରିଥିଲା। ମହିଳା ଥାନା ପୁଲିସ ଏହି ପରିତ୍ୟକ୍ତ ସ୍କୁଲ ଘରକୁ ଯାଇ ସାଇଣ୍ଟିଫିକ୍‌ ଟିମ୍‌ ସହିତ ତଦନ୍ତ କରିଥିଲା। ଏହାଛଡ଼ା ପୁଲିସ ସିଆରପିସିର ଧାରା ୧୬୧ ଅନୁଯାୟୀ ନାବାଳିକାଙ୍କର ବୟାନ ରେକର୍ଡ କରିଥିଲା। ନାବାଳିକାଙ୍କୁ ଏକ ସର୍ଟ୍‌ ଷ୍ଟେ ହୋମ୍‌ରେ ପୁଲିସ ରଖିବା ସହିତ ତାଙ୍କ ପରିବାର ଲୋକଙ୍କୁ ଖବର ପଠାଇଥିଲା। ଆଜି ନାବାଳିକାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚି ଝିଅକୁ ନେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର