ବାହା ହେବାକୁ କଥା ଦେଇ ଦଳୀୟ କର୍ମୀଙ୍କ ସହିତ ଦୁଷ୍କର୍ମ କରିଥିବା କଂଗ୍ରେସ ନେତାଙ୍କ ନାଁରେ ଥାନାରେ ଅଭିଯୋଗ

ହାଇଦ୍ରାବାଦ: ବାହା ହେବାକୁ ପ୍ରତିଶ୍ରୁତି ଦେଇ ଜଣେ ଦଳୀୟ କର୍ମୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ହାଇଦ୍ରାବାଦର ପୁଞ୍ଜଗୁଟ୍ଟା ପୁଲିସ ନାରାୟଣପେଟ୍‌ ଜିଲ୍ଲା କଂଗ୍ରେସ ମୁଖ୍ୟ ଖୁମ୍ବମ୍‌ ଶିବକୁମାର‌ ରେଡ୍ଡୀଙ୍କୁ ବୁକ୍‌ କରିଛି।

ଶିବକୁମାର ରେଡ୍ଡୀ ତାଙ୍କ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ନଗରୀର ‌ଗୋଟାଏ ହୋଟେଲ୍‌ରେ ତାଙ୍କ ସହିତ ଦୁଷ୍କର୍ମ କରିବା ପରେ ତାଙ୍କୁ ‘ବ୍ଲାକ୍‌ମେଲ୍‌’ କରିବା ଲାଗି ଉକ୍ତ ଅପକର୍ମର ଭିଡିଓ ରେକର୍ଡିଙ୍ଗ୍‌ କରିଛନ୍ତି ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ ହୋଇଥିବାରୁ ୨୦୨୦ ପୌର ନିର୍ବାଚନ ଅଭିଯାନରେ ସହଯୋଗ କରିବା ପାଇଁ ତାଙ୍କୁ ସେଠାକୁ ପଠାଯାଇଥିଲା।

ସେ କହିଛନ୍ତି, ମତେ ନାରାୟଣପେଟ୍‌ ଅଞ୍ଚଳ ଦାୟିତ୍ବ ଦିଆଯାଇଥିବାରୁ ଉପରୋକ୍ତ ଦାୟିତ୍ବ ନିର୍ବାହ କରିବା ଲାଗି ମୁଁ ସେଠାକୁ ଯାଇଥିଲି। ସେଠାରେ ପହଞ୍ଚିବା ପରେ ମୁଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଖୁମ୍ବମ୍ ଶିବକୁମାର ରେଡ୍ଡୀଙ୍କୁ ଭେଟିଥିଲି। ଭେଟ ହେବା ପରେ ସେ ମୋ ସହ ଅନ୍ତରଙ୍ଗ ହେବାକୁ ଉଦ୍ୟମ କରିଥିଲେ। ସମୟ ଅସମୟରେ ମେସେଜ୍‌ ପଠାଉଥିଲେ। ଶେଷରେ ଦିନେ ସେ ମୋତେ ବିବାହ କରିବେ ବୋଲି ଇଚ୍ଛା ପ୍ରକାଶ କଲେ।

Image Courtesy of India Today

ବିବାହିତ ଶିବକୁମାରଙ୍କୁ ତାଙ୍କ ପତ୍ନୀଙ୍କ କଥା ପଚାରିବାରୁ ସେ କହିଲେ କି, ପତ୍ନୀ ଗୁରୁତର ଅସୁସ୍ଥ। ଆଉ ୩ ବର୍ଷ ବଞ୍ଚିବେ କି, ନାହିଁ। ତେଣୁ, ତାଙ୍କ ଦେଖାଶୁଣା ପାଇଁ ଜଣେ ମହିଳା ଆବଶ୍ୟକ।

ପୁଲିସ କହିବା ଅନୁସାରେ, ଡୁବ୍ବକା ଜିଲ୍ଲାରେ ରହଣି ସମୟରେ ଶିବକୁମାର ରେଡ୍ଡୀ ନିଶାସକ୍ତ ଅବସ୍ଥାରେ ଉକ୍ତ ମହିଳାଙ୍କ କୋଠାରିକୁ ପ୍ରବେଶ କରି ଦୈହିକ ସମ୍ପର୍କ ପାଇଁ ବାଧ୍ୟ କଲେ। ମହିଳାଜଣକ ମନା କରିବାରୁ ସେ ତାଙ୍କୁ ମାର୍‌ଧର୍‌ କଲେ ବୋଲି ଅଭିଯୋଗରେ ଉଲ୍ଲେଖ ଅଛି।

ପରେ ଶିବକୁମାର ହିନ୍ଦୁ ରୀତି ଅନୁସାରେ ମହିଳାଙ୍କ ହାତରେ ହଳଦିଆ ରଙ୍ଗର ସୂତା ବାନ୍ଧିଥିଲେ। ଏହାର ଅର୍ଥ ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ଦିନେ କିଛି ଆଲୋଚନା କରିବା ଲାଗି ସେ ତାଙ୍କୁ ଗୋଟାଏ ପ୍ରସିଦ୍ଧ ହୋଟେଲ୍‌କୁ ଡାକିଲେ। ମହିଳାଜଣକ ଅନୁରୋଧ ରକ୍ଷା କରି ହୋଟେଲ୍‌କୁ ଗଲେ। ସେଠାରେ ରେଡ୍ଡୀ ତାଙ୍କୁ ନିଶା ମିଶ୍ରିତ ପାନୀୟ ଦେବା ସହ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ନିଶା ପ୍ରଭାବରେ ମହିଳାଜଣକ ଅଚେତ ହୋଇପଡ଼ିବା ପରେ ସେ  ତାଙ୍କର ଅଶୋଭନୀୟ ଫଟୋ ଉତ୍ତୋଳନ କରିଥିଲେ। ଯଦି ସେ ତାଙ୍କ ସହିତ ଦୈହିକ ସମ୍ପର୍କ ନ ରଖିବେ ଫଟୋଗୁଡ଼ିକୁ ସେ ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ୍‌ କରିଦେବେ ବୋଲି ଧମକ ଦେଇଥିବା କଥା ମହିଳାଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର