ଡାକ୍ତରଙ୍କ ମୋବାଇଲ୍‌ ନିଶା; ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଝାଡୁଦାର ଓ ଓ୍ଵାଚ୍‌ମ୍ୟାନଙ୍କ ପତ୍ନୀ

ହାଇଦ୍ରାବାଦ୍‌: ଗତ କିଛି ବର୍ଷ ଭିତରେ ଚିକିତ୍ସା କ୍ଷେତ୍ରରେ ଦେଶରେ ଅନେକ ଦାୟିତ୍ୱହୀନତା ଦେଖିବାକୁ ମିଳିଛି। ଅତୀତରେ ଉଭୟ ସରକାରୀ ଓ ବେସରକାରୀ ମେଡିକାଲ୍‌ରେ ଖାମଖିଆଲି ହେତୁ ଗୁଡ଼ାଏ ଅଘଟଣ ଘଟିଛି। ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଥିବା ସତ୍ତ୍ୱେ କେବଳ ଦାୟିତ୍ୱହୀନତା ହେତୁ ବାରମ୍ବାର ରୋଗୀଙ୍କ ମୃତ୍ୟୁ ଘଟୁଥିବା ଘଟଣା ଲଜ୍ଜା ପାଲଟିଛି।

ଏବେ ସୋସିଆଲ୍‌ ମିଡିଆରେ ତେଲେଙ୍ଗାନାର ଏକ ଭିଡିଓ ଘୂରି ବୁଲୁଛି। ଭିଡିଓଟିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ଡାକ୍ତରମାନେ ମୋବାଇଲ୍‌ ଫୋନ୍‌ରେ ବ୍ୟସ୍ତ ଥିବା ବେଳେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ଅଣଅଭିଜ୍ଞ ସାଧାରଣ ମହିଳା।

ଦୃଶ୍ୟଟି ହେଉଛି ତେଲେଙ୍ଗାନାର ମେହେବୁବାବାଦ୍‌ ଜିଲ୍ଲାସ୍ଥିତ ପ୍ରାଇମେରି ହେଲ୍‌ଥ୍‌ କେୟାର୍‌ ସେଣ୍ଟର୍‌ର। ଜାଣିବାକୁ ମିଳିିଛି ଯେ ଡାକ୍ତର ମୋବାଇଲ୍‌ରେ ବ୍ୟସ୍ତ ଥିବା ବେଳେ ରୋଗୀଙ୍କ ଦେଖାଶୁଣା କରୁଥିବା ମହିଳା ଦ୍ୱୟ ହେଉଛନ୍ତି ଜଣେ ଝାଡୁଦାର ଓ ଅନ୍ୟ ଜଣେ ଓ୍ଵାଚ୍‌ମ୍ୟାନ୍‌ଙ୍କ ପତ୍ନୀ।

ଦେଖିବାକୁ ମିଳୁଛି ଯେ ଡାକ୍ତର ଜଣକ ରୋଗୀ ବିଛଣାରେ ପଡ଼ିଥିବା ରୁମ୍‌କୁ ଲାଗିଥିବା ନିଜ ରୁମ୍‌ରେ ବସି ମୋବାଇଲରେ ଚାଟ୍ କରୁଛନ୍ତି । ଏପଟେ ରୋଗୀଙ୍କ ସହ କ’ଣ ହେଉଛି ସେ ସଂପର୍କରେ ଡାକ୍ତର ସଂପୂର୍ଣ୍ଣ ରୂପେ ଅଜ୍ଞ। ଏହି ସମସ୍ତ ଘଟଣାକୁ କେହି ଜଣେ ଭିଡିଓ କରି ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ କରିବା ପରେ ସତ ପଦାକୁ ଆସିଛି।

ସମ୍ବନ୍ଧିତ ଖବର