ମହିଳାଙ୍କୁ ଅସଦାଚରଣ କରିବା ପରେ, ଚଳନ୍ତା କାରରୁ ୧୦ମାସ ଛୁଆକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ଗାଡ଼ି ଭିତରେ ମହିଳାଙ୍କୁ ଅସଦାଚରଣ କରିବା ପ‌ରେ ୧୦ମାସର ଶିଶୁକୁ ଗାଡ଼ିରୁ ବାହାରକୁ ଫିଙ୍ଗି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହୋଇଯାଇଥିଲା।

ସୂଚନା ମୁତାବକ,ଏକ କାର୍‌ରେ ଜଣେ ମହିଳା ନିଜର ୧୦ମାସର ଶିଶୁକୁ ଧରି ମହାରାଷ୍ଟ୍ରରୁ ଗୁଜରାଟ ଯାଉଥିଲେ। ତାଙ୍କ ସହ ଆଉ ଜଣେ ଯାତ୍ରୀ ମଧ୍ୟ ସେହି କାର୍‌ରେ ବସିଥିଲେ। କିଛିବାଟ ଗଲା ପରେ ଗାଡ଼ି ଭିତରେ ବସିଥିବା ଉକ୍ତ ଯାତ୍ରୀ ଜଣକ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ।

ଏହାକୁ ମହିଳା ବିରୋଧ କରିବା ପରେ ଉକ୍ତ ଯାତ୍ରୀ ଜଣକ ରାଗି ଯାଇଥିଲେ। ଆଉ ମହିଳାଙ୍କ ହାତରୁ  ତାଙ୍କ ୧୦ ମାସର ଛୋଟ ଝିଅକୁ ଟାଣି   ଚଳନ୍ତା କାର୍‌ରୁ  ତଳକୁ ଫିଙ୍ଗି ଦେଇଥିଲେ। ଫଳରେ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଉ ଝିଅକୁ ବଞ୍ଚାଇବାକୁ ଯାଇ ମା’ ମଧ୍ୟ ଚଳନ୍ତା କାର୍‌ରୁ ଡେଇଁ ପଡିଥିଲେ। କାରରୁ ତଳେ ପଡ଼ିଯିବା ହେତୁ ସେ ବି ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କ ଚିକିତ୍ସା ଜାରି ରଖିଛନ୍ତି।

ଏହି ଘଟଣାରେ ପୁଲିସ କ୍ୟାବ୍ ଚାଳକଙ୍କୁ ଗିରଫ କରିବା ସହ କାରକୁ ଜବତ କରିଛି। ଏଭଳି କାଣ୍ଡ ଘଟାଇଥିବା ଦୁର୍ବୃତ୍ତ ଯାତ୍ରୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର