ନୂଆଦିଲ୍ଲୀ: ମୁରାଦାବାଦ ବ୍ୟାଙ୍କ ଅଫ୍ ବାରୋଦାର ରାମଗଙ୍ଗା ବିହାର ଶାଖାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବ୍ୟାଙ୍କ ଲକରରେ ଗ୍ରାହକଙ୍କ ୧୮ ଲକ୍ଷ ଟଙ୍କାକୁ (ଟର୍ମାଇଟ୍) ଉଇ ଓ ପୋକ ଖାଇ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ଉକ୍ତ ଟଙ୍କାର ମାଲିକ ରିନ୍ୟୁ କରିବା ପାଇଁ ଯେତେବେଳେ ବ୍ୟାଙ୍କ ଯାଇଥିଲା ଲକର ଭିତ‌ରେ ଟଙ୍କା ସବୁ ନଷ୍ଟ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ସେ ଏନେଇ ବ୍ୟାଙ୍କ ପରିଚାଳକଙ୍କୁ ଖବର ଦେଇଥିଲେ । ବ୍ୟାଙ୍କ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି।

Advertisment

ସୂଚନାଯୋଗ୍ୟ, ମୁରାଦାବାଦର ଆଶିଆନା କଲୋନୀରେ ବସବାସ କରୁଥିବା ଅଲକା ପାଠକ ଝିଅ ବାହାଘର ପାଇଁ ବ୍ୟାଙ୍କ ଲକରରେ ୨୦୨୨ ଅକ୍ଟୋବର ମାସରେ ଅଳଙ୍କାର ସହିତ ୧୮ଲକ୍ଷ ଟଙ୍କାକୁ ଏକ ପ୍ଲାଷ୍ଟିକ‌ରେ ରଖି ଦେଇ ଆସିଥିଲେ।

ଗତ ‌ସୋମବାର ଅଲକାଙ୍କୁ ରିନ୍ୟୁ ଏବଂ କେୱାଇସି ପାଇଁ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଡକା ଯାଇଥିଲା। ସେ ସୋମବାର ବ୍ୟାଙ୍କରେ ପହଞ୍ଚିବା ପରେ ଲକର ଖୋଲିବାକୁ ଯାଇଥିଲେ। ଯେମିତି ହିଁ ଲକର ଖୋଲିଥିଲେ ତା’ ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ସେ ଝିଅ ବାହାଘର ପାଇଁ ଅଳଙ୍କାର ସହିତ ରଖିଥିବା ୧୮ଲକ୍ଷ ଟଙ୍କାକୁ ଉଇ ଖାଇ ନଷ୍ଟ କରି ଦେଇଛି। ଏଦୃଶ୍ୟ ଦେଖି ସେ ଲକର ନିକଟରେ ଛିଡ଼ା ହୋଇ ଭୋଭୋ ହୋଇ କାନ୍ଦି ଅଚେତ ହୋଇପଡ଼ିଥିଲେ। ଏହାପରେ ଏହି ଘଟଣା ବିଷୟରେ ବ୍ୟାଙ୍କ ପରିଚାଳକଙ୍କୁ ଅବଗତ କରାଯାଇଥିଲା। ବ୍ୟାଙ୍କ ପରିଚାଳକ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଗ୍ରାହକଙ୍କୁ ବୁଝାସୁଝା କରି ତଦନ୍ତ ଆରମ୍ଭ କରିଛନ୍ତି।

ଅଲକା ପାଠକ କହିଛନ୍ତି, ‘ଆମର ଖଟ ସାମଗ୍ରୀର ଏକ ଛୋଟ ବ୍ୟବସାୟ ଅଛି, ଏଥିସହିତ ମୁଁ ପିଲାମାନଙ୍କୁ ଟ୍ୟୁସନ ମଧ୍ୟ କରିଥାଏ। କିଛି ଦିନ ପୂର୍ବରୁ ବଡ଼ ଝିଅର ବିବ‌ାହ ସରିଥିଲା। ଏହାପରେ ବାକି ଅଳଙ୍କାର ସବୁ ଘରେ କାହିଁକି ରଖିବି ସାନ ଝିଅର ବ‌ାହାଘର ପାଇଁ କିଛି ଅଳଙ୍କାର ସମେତ ୧୮ଲକ୍ଷ ଟଙ୍କା ବ୍ୟାଙ୍କ ଲକରରେ ଗତବର୍ଷ ଅକ୍ଟୋବର ମାସରେ ରଖି ଦେଇ ଆସିଥିଲି। ତେବେ ଲକରରେ ଏମିତି ଟଙ୍କା ରଖନ୍ତି ନାହିଁ ବୋଲି ମୁଁ ଜାଣି ନଥିଲି।’