କେରଳ ବିମାନବନ୍ଦରରେ ଧରାପଡ଼ିଲେ ୧୪ ଲକ୍ଷ ଟଙ୍କାର ସୁନାକୁ ବେସର ଭଳି ବାଟି ଜିନ୍ସ୍ ପ୍ୟାଣ୍ଟରେ ଲେସିଥିବା ଯାତ୍ରୀ

ତିରୁବନନ୍ତପୁରମ୍: ଆଜି ସକାଳେ କେରଳସ୍ଥିତ କନ୍ନୁର ବିମାନବନ୍ଦରରେ ‘ଏୟାର୍‌ ଇଣ୍ଟେଲିଜେନ୍ସ’ ଏବଂ ‘କଷ୍ଟମ୍‌ ଡିପାର୍ଟମେଣ୍ଟ୍‌’ର ଅଧିକାରୀମାନେ ୩୦୨ ଗ୍ରାମ୍‌ ଓଜନର ଚୋରା ସୁନା ଜବତ କରିଛନ୍ତି। ଜଣେ ଯାତ୍ରୀ ଅଭିନବ ଉପାୟରେ ଲୁଚାଇ ଆଣିଥିବା ଏହି ସୁନାର ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ।

ପ୍ରାପ୍ତ ସୂଚନା ଅନୁସାରେ, ଏହି ମୂଲ୍ୟବାନ୍ ଧାତୁକୁ ଅଳଙ୍କାର କିଂବା ବିସ୍କୁଟ୍‌ ରୂପେ ନ ଆଣି ‘ପେଷ୍ଟ୍‌’ (ବାଟଣ ବା ବେସର) ଭାବରେ ଅଣାଯାଇଥିଲା। ଏହି ସୁବର୍ଣ୍ଣ ବାଟଣକୁ ଯାତ୍ରୀଜଣକ ପିନ୍ଧିଥିବା ଦୁଇ ପରସ୍ତିଆ ଜିନ୍ସ୍‌ ପ୍ୟାଣ୍ଟ୍‌ରେ ବୋଳି ବା ଲେସିଦେଇ ଆଣିଥିଲେ।

Image Courtesy of News Track English

ସୁବର୍ଣ୍ଣ ବାଟଣ ଖୋଜି ବାହାର କରିବା ଲାଗି ସମ୍ପୃକ୍ତ ଯାତ୍ରୀ ପିନ୍ଧିଥିବା ସେ ଦୁଇ ପରସ୍ତିଆ ଜିନ୍‌ସ୍‌ଟିକୁ କାଟିବାକୁ ପଡ଼ିଥିଲା। ଜିନ୍‌ସ୍‌ର ଉପରୁ ତଳଯାଏଁ ସୁବର୍ଣ୍ଣ ବାଟଣ ବୋଳା ଯାଇଥିବା କଥା ଫଟୋରୁ ଜଣାପଡୁଛି। ଏ ସଂକ୍ରାନ୍ତରେ କୋଚିରେ ‘କଷ୍ଟମ୍‌ ପ୍ରିଭେଣ୍ଟିଭ୍‌ ୟୁନିଟ୍‌’ କହିଛନ୍ତି, କନ୍ନୁର୍‌ ବିମାନବନ୍ଦରରେ ‘ଏୟାର୍‌ ଇଣ୍ଟେଲିଜେନ୍‌ସ୍‌ ୟୁନିଟ୍‌’ ଜଣେ ଯାତ୍ରୀ ପିନ୍ଧିଥିବା ଦୁଇ-ପରସ୍ତିଆ ପ୍ୟାଣ୍ଟ୍‌ରେ ଅତି ପତଳା ବାଟଣ ରୂପରେ ଲୁଚା ଯାଇଥିବା ୩୦୨ ଗ୍ରାମ୍ ଓଜନ ସୁନା ଜବତ୍ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ଏହି ସଚ୍ଚିତ୍ର ସମ୍ବାଦ ପ୍ରସାର ହେବା ପରେ ‘ଏଭଳି କୌଶଳ’ ଦେଖି ଲୋକେ ଅବାକ୍ ହୋଇ ଯାଇଛନ୍ତି।

କିନ୍ତୁ, ଏ ଘଟଣା ନୂଆ ନୁହେଁ, ଏହି ଭଳି ଜଣେ ଯାତ୍ରୀ ତାଙ୍କ ଅନ୍ତଃର୍ବାସରେ ସୁବର୍ଣ୍ଣ ବାଟଣ ବୋଳି ଆଣିଥିବା ପୂର୍ବରୁ ପଞ୍ଜାବ ବିମାନବନ୍ଦରରେ ଧରାଯାଇଥିଲା।

ସମ୍ବନ୍ଧିତ ଖବର