ସାଙ୍ଗ କହି ରାସ୍ତାକୁ ଡାକି ଲୁଟିଲେ

ବାଲିଅନ୍ତା: ସ୍ଥାନୀୟ ଅଞ୍ଚଳରେ ଗୋରୁ ଚୋର ଓ ଚେନ୍‌ ଲୁଟେରାମାନଙ୍କ ଆତଙ୍କ ଥମିବା ନାଁ ଧରୁନାହିଁ। ଗତକାଲି ପୁଣି ଆରମ୍ଭ ହୋଇଛି ମୋବାଇଲ୍‌ ଲୁଟେରାଙ୍କ ଖେଳ। ବଡ଼ ଚତୁରତାର ସହିତ ଶିଶିଲୋ ଗ୍ରାମର ଆଶିଷ ଓଝାଙ୍କଠାରୁ ଦୁର୍ବୃତ୍ତମାନେ ଦାମୀ ମୋବାଇଲ୍‌ ଫୋନ୍‌ ସେଟ୍‌ ଲୁଟି ନେଇଛନ୍ତି। ସାଙ୍ଗ ହିସାବରେ ଫୋନ୍‌ କରି ରାସ୍ତାକୁ ଡାକିବା ପରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ଚମ୍ପଟ ମାରିଛନ୍ତି। ସୂଚନାନୁସାରେ ଗତକାଲି ଆଶିଷଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ଦୁର୍ବୃତ୍ତ ବଡ଼ ଚତୁରତାର ସହ ନିଜକୁ ଆଶିଷଙ୍କ ସାଙ୍ଗ ବୋଲି ପରିଚୟ ଦେଇଥିଲା ଓ ତାଙ୍କ ଘର ପାଖ ମୁଖ୍ୟ ରାସ୍ତାରେ ତାଙ୍କୁ ଅପେକ୍ଷା କରିଛି ବୋଲି କହିଥିଲା। ଏକ ଜରୁରି କାମ ଥିବାରୁ ସେ ସାକ୍ଷାତ କରିବାକୁ ଆସିଛି ବୋଲି କହିଥିଲା। ଚାଲ୍‌ ବୁଝିନପାରି ଆଶିଷ ଘରୁ ବାହାରି ରାସ୍ତା ଉପରକୁ ଆସିଥିଲେ। ତେବେ ସେ ରାସ୍ତା ଉପରେ ପହଞ୍ଚୁ ପହଞ୍ଚୁ ହଠାତ୍ ଏକ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଛଡ଼ାଇ ଚମ୍ପଟ ମାରିଥିଲେ। ଆଶିଷ ପାଟି କଲାବେଳକୁ ସେମାନେ ଦ୍ରୁତବେଗରେ ବାଳକାଟି ଦିଗରେ ପଳାଇଥିଲେ। ପରେ ଆଶିଷ ତାଙ୍କ ବାପା ପ୍ରମୋଦଙ୍କ ସହ ଯାଇ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଆଶିଷଙ୍କ ମୋବାଇଲ୍‌ ନମ୍ବର ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର