ତମାଣ୍ଡୋରେ ପୁଣି ମାତିଲେ ସିନ୍ଧିଚୋର

ଖଣ୍ଡଗିରି: ଗୁରୁବାର ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ଅଞ୍ଚଳରେ ପୁଣି ସିନ୍ଧିଚୋର ମାତିଛନ୍ତି। ବିଜିପୁରରେ ରହୁଥିବା ଦୀପୁ ପରିଜାଙ୍କ ଘରୁ ଦୁର୍ବୃତ୍ତମାନେ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି। ଏ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। କିନ୍ତୁ ଚୋରଙ୍କ ପତ୍ତା ମିଳି ନାହିଁ। ଶ୍ରୀ ପରିଜାଙ୍କ ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ତାଙ୍କ ଘରର ପଛ ପାଚେରି ଡେଇଁ ବାଡ଼ି ଭିତରକୁ ପଶିବା ପରେ ଏକ ରୁମ୍‌ର ଝରକା ତାଡ଼ି ଘରେ ପଶିଥିଲେ। ପରିବ‌ାର ଲୋକମାନେ ଶୋଇଥିବା ଘରର କବାଟକୁ ବାହାରୁ ବନ୍ଦ କରିଦେଇଥିଲେ। ଅନ୍ୟ ଏକ ରୁମ୍‌ରେ ଥିବା ଆଲ୍‌ମିରା ତାଡ଼ି ସେଥିରୁ ପ୍ରାୟ ୧୫ହଜାର ଟଙ୍କା, କିଛି ସୁନା ଅଳଙ୍କାର, ୪ଟି ଦାମୀ ହାତଘଣ୍ଟା, ମୋବାଇଲ୍‌ ଫୋନ୍‌ ଚୋରି କରି ନେଇଥିଲେ। ସକାଳୁ ସେମାନେ ଉଠିବା ପରେ ବାହାରୁ କବାଟ ବନ୍ଦ ହୋଇଥିବା ଦେଖି ପାଖ ପଡ଼ୋଶୀଙ୍କ ସହାୟତାରେ ବାହାରକୁ ବାହାରିଥିଲେ ଓ ଚୋରି ହୋଇଥିବା ଜାଣି ତମା‌ଣ୍ଡୋ ଥାନାକୁ ଜଣାଇଥିଲେ। ପରେ ଜଣାପଡ଼ିଥିଲା ଯେ ଶ୍ରୀ ପରିଜାଙ୍କ ପଡ଼ୋଶୀ ମାନସ ମହାପାତ୍ରଙ୍କ ଘରେ ମଧ୍ୟ ଦୁର୍ବୃତ୍ତମାନେ ପଶିବାକୁ ଚେଷ୍ଟା କରିଥିଲେ ଓ ଘର ଭିତରକୁ ପଶି ନପାରି ଝରକା ବାଟେ ତାଙ୍କ ମୋବାଇଲ୍ ଫୋନ ନେଇ ପଳାଇଛନ୍ତି।

ସମ୍ବନ୍ଧିତ ଖବର