ପୁଲିସକୁ ଢେଲା ମାଡ଼ କରି ଖସିଗଲେ

ଯାଁଳା ବଜାରରୁ ସିରିଜ୍‌ ଚୋରି

ଖଣ୍ଡଗିରି: ଗୋଟିଏ ପରେ ଗୋଟିଏ ଦୋକାନର ଗ୍ରିଲ୍‌ କାଟିବା ଓ ସଟର୍‌ ତାଡ଼ିବା ସହ ତାଲା ଭାଙ୍ଗି ଚୋରି କଲେ। ଶେଷରେ ଏକ ଗହଣା ଦୋକାନର ସଟର୍‌ ତାଡ଼ୁଥିବାବେଳେ ପୁଲିସ ପହଞ୍ଚିଯାଇଥିଲା। ମାତ୍ର ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କଲାବେଳେ ସେମାନେ ପୁଲିସକୁ ଢେଲା ମାଡ଼ କରି ଖସି ପଳାଇଲେ। ପିସିଆର୍‌ ଭ୍ୟାନ୍‌ରେ ପାଞ୍ଚ ପାଞ୍ଚ ଜଣ ପୁଲିସ କର୍ମଚାରୀ ଥିଲେ ବି ୩ ଜଣ ଦୁର୍ବୃତ୍ତଙ୍କ ଢେଲା ମାଡ଼କୁ ଡରି ପଛଘୁଞ୍ଚା ଦେବାରୁ ଚୋରମାନେ ଖସି ପଳାଇବାରେ ସକ୍ଷମ ହେଲେ। ସୋମବାର ବିଳମ୍ବିତ ରାତିରେ ଯାଁଳା ବଜାରରେ ଘଟିଥିବା ଏହି ଘଟଣାଟି ବଡ଼ ରୋଚକ ପ୍ରସଙ୍ଗ ପାଲଟିଛି। ସୂଚନାନୁସାରେ ପ୍ରଥମେ ଦୁର୍ବୃତ୍ତମାନେ ପବିତ୍ର ମଙ୍ଗରାଜ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୋବାଇଲ୍‌ ଉପକରଣ ଦୋକାନର ଗ୍ରିଲ୍‌ କାଟିବା ସହ ସଟର୍‌ ତାଡ଼ି ପକାଇଥିଲେ। ୪ଟି ତାଲା କାଟି ଭିତରୁ ୭ଟି ନୂଆ ମୋବାଇଲ୍‌ ଫୋନ୍‌ ସେଟ୍‌, ୧୦ଟି ମେମୋରି କାର୍ଡ, ୮ଟି ଏଲ୍‌ଇଡି ଟର୍ଚ୍ଚ ଲାଇଟ୍‌ ନେଇଥିଲେ। ଜିଓ ମୋବାଇଲ୍‌ ଫୋନ୍‌ର ଡିଷ୍ଟ୍ରିବ୍ୟୁଟର୍‌ଙ୍କୁ ଟଙ୍କା ଦେବା ପାଇଁ ସେ କ୍ୟାସ୍‌ ବକ୍ସରେ ୮ ହଜାର ଟଙ୍କା ରଖିଥିଲେ। ତାକୁ ବି ଦୁର୍ବୃତ୍ତମାନେ ନେଇ ଯାଇଥିଲେ। ଏହା ପରେ ସେମାନେ ମନୋଜ ପରିଡ଼ାଙ୍କ ଏକ ତେଜରାତି ଦୋକାନର ୫ଟି ତାଲା କାଟି ଭିତରକୁ ପଶିଥିଲେ। ଅନ୍ୟ କୌଣସି ଦାମୀ ଜିନିଷରେ ହାତ ନ ମାରି ଦୁର୍ବୃତ୍ତମାନେ କ୍ୟାସ୍‌ ବକ୍ସରୁ ୧୨ ଶହ ଟଙ୍କା ସହ ୪ଟି ପୁଡ଼ିଆ ବନ୍ଧା ହୋଇ ଥିବା ୧୦ ଟଙ୍କିଆ ଓ ୫ ଟଙ୍କିଆ କଏନ୍‌କୁ ନେଇ ପଳାଇଥିଲେ। କଏନ୍‌ କାରବାର କମ୍‌ ଥିବାରୁ ମନୋଜ ପୁଡ଼ିଆ ବାନ୍ଧି ରଖିଥିଲେ। ମନୋଜଙ୍କ କହିବା କଥା ପ୍ରାୟ ୧୫ ହଜାର ଟଙ୍କା ଚୋରି ହୋଇଛି।

ଏହା ପରେ ଦୁର୍ବୃତ୍ତମାନେ ରବୀନ୍ଦ୍ର ନାୟକଙ୍କ ମା ଜୁଏଲର୍ସ ଦୋକାନର ସଟର୍‌ ତାଡ଼ୁଥିଲେ। ୨ଟି ତାଲା ଭଙ୍ଗା ସରିଥିଲା। ଏତିକିବେଳେ ଯାଁଳା ଫାଣ୍ଡି ପିସିଆର୍‌ ପହଞ୍ଚି ଯାଇଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଏକ ପାଚେରି ଡେଇଁ ନିକଟସ୍ଥ ମେଡିକାଲ ବସ୍ତି ଭିତରକୁ ପଶି ଯାଇଥିଲେ। ପୁଲିସ ତାଙ୍କୁ ପିଛା କଲା। ଅନ୍ଧାରରେ ରହି ଦୁର୍ବୃତ୍ତମାନେ ପୁଲିସ ଉପରକୁ ଢେଲା ମାଡ଼ କଲେ। ଭୟରେ ପୁଲିସ କର୍ମଚାରୀମାନେ ପଛଘୁଞ୍ଚା ଦେଲେ। ପାଟି ଶୁଣି ବସ୍ତିର ଲୋକେ ଉଠିପଡ଼ି ପୁଲିସକୁ ସହଯୋଗ କରିବାକୁ ବାହାରିବାବେଳକୁ ଚୋରଦଳ ପାର୍‌ ହୋଇ ଯାଇଥିଲେ। ପିସିଆର୍‌ରେ ଥିବା ପାଞ୍ଚ ପାଞ୍ଚ ଜଣ ପୁଲିସଙ୍କୁ ଚୋର ଚକ୍‌ମା ଦେଇ ପାର୍‌ ହୋଇଯିବା ପରେ ଲୋକେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର