ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର: ଦମ୍ପତିଙ୍କ ବିଷୟରେ ଜାଣି ଦୁଃଖ ପ୍ରକାଶ କଲେ; ଦୁଇ ହଜାର ଫେରାଇଲେ

ଭୁବନେଶ୍ୱର: ଡକାୟତି ପାଇଁ ଆସିଲେ ହେଲେ ଫସର ଫାଟିଗଲା ଯୋଜନା । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଟାଙ୍ଗୀବନ୍ତରେ ରହୁଥିବା ବିଜୟ ମିଶ୍ରଙ୍କ ଘରକୁ ଗୁରୁବାର ରାତି ଦୁଇଟା ବେଳେ କବାଟ ଭାଙ୍ଗି ପଶିଥିଲେ ଚାରି ଜଣ ଚୋର । ହେଲେ ବଡ ଧରଣର ଡକାୟତି କରିବାକୁ ଆସି ହଟହଟା ହୋଇଛନ୍ତି ଏହି ଚୋର । ଅନେକ ଟଙ୍କା ଓ ସୁନା ଥିବା ଆଶାରେ ଆସି ପାଇଛନ୍ତି ମାତ୍ର ୨୫ ହଜାର ଟଙ୍କା ଓ ହଳେ କାନଫୁଲ । କିନ୍ତୁ ଆଶ୍ଚର୍ଯ୍ୟର କଥାହେଉଛି ତାହା ପେନସନ ଟଙ୍କା ବୋଲି ଜାଣିବା ପରେ ବୃଦ୍ଧ ଦମ୍ପତିଙ୍କୁ ଖର୍ଚ୍ଚ କରିବାକୁ ଦେଇଯାଇଛନ୍ତି ଦୁଇ ହଜାର ଟଙ୍କା ।

ବିଜୟଙ୍କ ପତ୍ନୀ ପିନ୍ଧିଥିବା ସୁନା ଚୁଡିକୁ ମଧ୍ୟ ନେବାକୁ ଉଦ୍ୟମ କରିଥିଲେ ଚୋର । ହେଲେ ଗୁରୁବାର ମା’ମାନଙ୍କ ଦେହରୁ ସୁନା କାଢିବା କଥା ନୁହେଁ ବୋଲି କହିବା ପରେ ତାହାକୁ ମଧ୍ୟ ଫେରାଇ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦମ୍ପତିଙ୍କ ମୋବାଇଲ ଫୋନ ଓ ଘରେ ଲାଗିଥିବା ଟିଭିକୁ ମଧ୍ୟ ଦମ୍ପତିଙ୍କ ଅନୁରୋଧ ପରେ ଫେରାଇ ଦେଇଛନ୍ତି ୪ଜଣ ଚୋର । ଆଶା ଅନୁରୂପ ଟଙ୍କା ଓ ସୁନା ନପାଇବା ପରେ ସୂଚନାଦାତାକୁ ଗାଳି କରିଥିଲେ ଏହି ଚାରି ଚୋର । ଏପରିକି ଶନିବାର ଆସି ଚୋରି କରିଥିବା ଟଙ୍କା ଫେରେଇଦେବାକୁ ଦମ୍ପତିଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏବେ କମିଶନରେଟ ପୁଲିସ ଘଟଣାର ତଦନ୍ତ କରୁଛି ।

 

ସମ୍ବନ୍ଧିତ ଖବର