ବାହାରୁ କବାଟ କିଳି ଦେଲେ ମହିଳା

ଘର ଭିତରେ ପଶିଥିଲା ଚୋର

ଖଣ୍ଡଗିରି: ଘର ଭିତରେ ପଶି ଲୁଟ୍‌ପାଟ୍‌ ଚଳାଇଥିଲା ଚୋର। ଏତିକିବେଳେ ପହଞ୍ଚିଗଲେ ଘର ମାଲିକାଣୀ। ଭିତରେ ଚୋର ଥିବା ଜାଣି ସେ ଚତୁରତାର ସହ ବାହାରୁ କବାଟ କିଳି ଦେଲେ। ତା’ପରେ ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଜମା ହୋଇଗଲେ। ଏହା ପରେ ବାର ବାଜିଗଲା ଚୋରର। ଲୋକେ କାବୁ କରି ମନବୋଧ ହେବା ଯାଏଁ ଛେଚିଲେ। ଯିଏ ଯେମିତି ପାରିଲା କୁନ୍ଦିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଲୋକଙ୍କଠାରୁ ଉଦ୍ଧାର କରି ଥାନାକୁ ନେଲା। ଆଜି ସ୍ଥାନୀୟ ବରବାରୀରେ ଏଭଳି ଭାବେ ଧରାପଡ଼ି ଛେଚା ଖାଇଥିବା ଚୋରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବଡ଼ଗଡ଼ ଥାନା ପାଇଁ ଏହି କୁଖ୍ୟାତ୍‌ ଚୋରଟି ୨ଟି ସଂଗିନ୍‌ ମାମଲାରେ ପୁଲିସର ଓ୍ଵାଣ୍ଟେଡ୍‌ ଥିବାରୁ ତାକୁ ଖଣ୍ଡଗିରି ଥାନା ପୁଲିସ ବଡ଼ଗଡ଼ ଥାନା ପୁଲିସକୁ ହସ୍ତାନ୍ତର କରିଛି। ଏହି କୁଖ୍ୟାତ ଚୋର ଜଣକ ହେଉଛି ଉତ୍ତମ ଦାସ (୪୦)।

ସୂଚନାନୁସାରେ ଆଜି ଅପରାହ୍ଣ ପ୍ରାୟ ୨ଟାବେଳେ ବରବାରୀରେ ରହୁଥିବା ଅନୁଜ ଛୋଟରାୟଙ୍କ ଘରେ କେହି ନଥିବା ମଉକାରେ ଉତ୍ତମ କବାଟ ତାଲା ଭାଙ୍ଗି ଭିତରେ ପଶିବା ସହ ଆଲମିରା ଭାଙ୍ଗି ପକାଇଥିଲା। ଠିକ୍‌ ଏତିକିବେଳେ ଅନୁଜଙ୍କ ସ୍ତ୍ରୀ ଭାରତୀ ଝିଅକୁ ଧରି ସ୍କୁଲରୁ ଫେରୁଥିଲେ। କବାଟ ତାଲା ଭଙ୍ଗା ଯାଇଥିବା ଦେଖି ସେ ବୁଝିଗଲେ ଯେ ଘରୁ ଚୋରି ହୋଇଯାଇଛି। ମାତ୍ର ଭିତରେ ଧଡ୍‌ଧାଡ୍‌ ଶବ୍ଦ ଶୁଣି ସେ ଜାଣିପାରିଲେ ଯେ ଭିତରେ ଚୋର ରହିଛି। ତେଣୁ ସେ ଚତୁରତାର ସହ ବାହାରୁ କବାଟ କିଳି ପାଟି କରି ପାଖ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ତାଙ୍କ ପାଟି ଶୁଣି ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଉତ୍ତମକୁ ବହେ ଉତ୍ତମ ମଧ୍ୟମ ଦେବା ପରେ ଖଣ୍ଡଗିରି ଥାନାକୁ ଖବର ଦିଆଯାଇଥିଲା। ୨ଟି ଚୋରି ମାମଲାରେ ବଡ଼ଗଡ଼ ଥାନା ପୁଲିସ ତାକୁ ଖୋଜୁଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ଉତ୍ତମକୁ ବଡ଼ଗଡ଼ ଥାନା ପୁଲିସ ଜିମା ଦେଇଛି।

ସମ୍ବନ୍ଧିତ ଖବର