ବେଙ୍ଗାଲୁରୁ: ସମ୍ପ୍ରତି ବଜାରରେ ଟମାଟୋ ଦୁର୍ମୂଲ୍ୟ ହୋଇଯାଇଥିବା ବେଳେ ଚୋରମାନେ ବିଲରୁ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ଟମାଟୋ ନେଇଯାଇଥିବା କଥା ବୁଧବାର ଦିନ କର୍ଣ୍ଣାଟକର ଜଣେ ମହିଳା ଚାଷୀ ଅଭିଯୋଗ କରିଛନ୍ତି।
ଧାରିଣୀ ନାମ୍ନୀ ସେ ମହିଳା ଚାଷୀଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ରାତିରେ କର୍ଣ୍ଣାଟକର ହସନ୍ ଜିଲ୍ଲାର ବେଲୁର ତାଲୁକ ଅନ୍ତର୍ଗତ ଗୋନି ସୋମାନାହାଲ୍ଲୀ ଗ୍ରାମରେ ଥିବା ବିଲରୁ ଚୋରମାନେ ୫୦/୬୦ ବସ୍ତା ଟମାଟୋ ଚୋରାଇ ନେଇଛନ୍ତି।
ଧାରିଣୀ ଓ ତାଙ୍କ ପରିବାରର ସଦସ୍ୟମାନେ ୨ ଏକର ବିଲରେ ଟମାଟୋ ଚାଷ କରିଥିଲେ। ଆସନ୍ତା ସପ୍ତାହରେ ସେଗୁଡ଼ିକୁ ବଜାରକୁ ପଠାଇବା ଲାଗି ସେମାନେ ଯୋଜନା ମଧ୍ୟ କରିଥିଲେ।
ସାମ୍ବାଦିକମାନଙ୍କୁ ଧାରିଣୀ କହିଛନ୍ତି, ବିନ୍ ଚାଷରେ ଆମେ ବିପୁଳ କ୍ଷତି ସହିଥିଲୁ। ପୁଣି, ଋଣ କରି ଟମାଟୋ ଚାଷ କରିଥିଲୁ। ଫସଲ ଭଲ ହୋଇଥିଲା ବେଳେ ଯୋଗକୁ ବଜାର ଭାଉ ବି ଭଲ ଥିଲା। ୫୦/୬୦ ବସ୍ତା ଟମାଟୋ ନେଇଯିବା ସହିତ ବିଲରେ ଥିବା ବାକି ଟମାଟୋ ବି ନଷ୍ଟ କରିଦେଇଛନ୍ତି।
ଧାରିଣୀଙ୍କ ଅଭିଯୋଗକୁ ଭିତ୍ତି କରି ହାଲେବୀଡୁ ଥାନାରେ ଏକ ଚୋରି ମାମଲା ରୁଜୁ କରାଯାଇଛି। ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆମେ ଗୁଆ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚୋରି ହୋଇଥିବା କଥା ଶୁଣିଥିଲୁ, କିନ୍ତୁ କେହି କେବେ ଟମାଟୋ ଚୋରି କରିଥିବା କଥା ଶୁଣି ନ ଥିଲୁ। ଆମ ଥାନାରେ ରିପୋର୍ଟ କରାଯିବାରେ ଏହା ହେଉଛି ପ୍ରଥମ ଘଟଣା।