ବ୍ୟାଙ୍କ୍‌ କାନ୍ଥ କଣା କରି ୧ କୋଟି ଟଙ୍କା ଚୋରାଇ ନେଲେ ଚୋର

ନୂଆଦିଲ୍ଲୀ: ସାପ୍ତାହିକ ଛୁଟିରେ ଦିଲ୍ଲୀର ବାହ୍ୟାଞ୍ଚଳ ମୁଣ୍ଡକାସ୍ଥିତ ଏକ ବ୍ୟାଙ୍କ୍‌ର କାନ୍ଥ କଣା କରି ଦଳେ ଲୋକ ନଗଦ ଟଙ୍କା ଓ ଗହଣା ଚୋରାଇ ନେଇଛନ୍ତି। ଗୋଟିଏ ସେଫ୍‌ ଏବଂ ୧୫ଟି ଲକର୍‌ କାଟି ସେମାନେ ଗହଣାକୁ ମିଶାଇ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଚୋରାଇ ନେଇଛନ୍ତି। ବ୍ୟାଙ୍କ୍‌ ପାଚେରି ପାଖକୁ ଥିବା ଏକ ଖାଲି ପ୍ଲଟ୍‌ ପଟୁ ଚୋରମାନେ ପାଚେରିରେ ଗାତ କରି ବ୍ୟାଙ୍କ୍‌ ମଧ୍ୟକୁ ପ୍ରବେଶ କରିଥିଲେ। ପରେ ସେମାନେ ସିସିଟିଭି ଏବଂ ଡିଜିଟାଲ୍‌ ଭିଡିଓ ରେକର୍ଡର୍‌ ଟାଣି ପକାଇ ଦେଇଥିଲେ। ଆଠଟି ଗ୍ୟାସ୍‌ ସିଲିଣ୍ଡର୍‌ ଦ୍ୱାରା ଚାଳିତ ଇଲେକ୍ଟ୍ରନିକ୍‌ କଟର୍‌ ଯୋଗେ ସେମାନେ ସେଫ୍‌ କାଟି ସେଥିରୁ ୨୭ ଲକ୍ଷ ଟଙ୍କା ଏବଂ ଲକର୍‌ରୁ କାଟି ସେଥିରୁ ଗହଣା ନେଇ ଯାଇଥିଲେ। ମୁଣ୍ଡକା ମେଟ୍ରୋ ଷ୍ଟେସନ୍‌ ଠାରୁ ୧୦୦ ହାତ ଦୂରରେ ଥିବା ରାଜ୍ୟ ସମବାୟ ବ୍ୟାଙ୍କ୍‌ରୁ ସେମାନେ ଚୋରି କରିଛନ୍ତି।

ପୁଲିସ କହୁଛି ଶନିବାର ରବିବାର ରାତିରେ ବ୍ୟାଙ୍କ୍‌ ୧୦ ଘଣ୍ଟା ଧରି ବନ୍ଦ ରହିଥିବା ବେଳେ ଡକାୟତି ହୋଇଛି। ଗ୍ୟାସ୍‌ ସିଲିଣ୍ଡର୍‌ ଶେଷ ହୋଇ ଯିବାରୁ ଚୋରମାନେ ଦୌଡ଼ି ପଳାଇଥିଲେ। ବ୍ୟାଙ୍କ ପାଖରେ ଥିବା ଖାଲି ପ୍ଲଟ୍‌ରେ ପାଚେରି ଏବଂ ଅନାବନା ବୁଦା ଉଠିଥିବାରୁ ଅପରାଧୀମାନଙ୍କ ପାଇଁ ତାହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା।

Image Courtesy of TOI

ତଦନ୍ତରୁ ଜଣା ପଡ଼ିଛି ଯେ ଚୋରମାନେ ପ୍ରଥମେ ୬ ଇଞ୍ଚ୍‌ ମୋଟେଇ ପାଚେରି କାନ୍ଥରେ ଛେଣି ଓ ହାତୁଡ଼ି ସାହାଯ୍ୟରେ କଣା କରିଥିଲେ। ଭୂଇଁ ଠାରୁ ଦୁଇ ଫୁଟ ଉଚ୍ଚରେ ଗାତ କରାଯାଇଥିଲା। ତା’ପରେ ବ୍ୟାଙ୍କ୍‌ କାନ୍ଥରେ କଣା କରି ସେମାନେ ଭିତରକୁ ପଶିଥିଲେ। ଏ ସବୁ କରିବାକୁ ସେମାନେ ଆଣିଥିବା ଉପକରଣଗୁଡ଼ିକ ସମ୍ପୂର୍ଣ୍ଣ ନୂଆ। ଚୋରି ପାଇଁ ସେଗୁଡ଼ିକୁ କିଣା ଯାଇଥିବା ଅନୁମାନ କରାଯାଇଛି। ସେଗୁଡ଼ିକୁ ସେମାନେ ସେଠାରେ ଛାଡ଼ି ଚାଲି ଯାଇଛନ୍ତି।

ଦୁଇ କାନ୍ଥରେ କଣା କରିବାକୁ ଅନ୍ୟୂନ ଦୁଇ ତିନି ଘଣ୍ଟା ସମୟ ଲାଗିଥିବ। ରାସ୍ତା କଡ଼ରେ ବ୍ୟାଙ୍କ ଅବସ୍ଥିତ ହୋଇଥିବାରୁ ହାତୁଡ଼ି ପିଟା ଶବ୍ଦ ଯାନବାହନ ଚଳାଚଳ ଶବ୍ଦ ଯୋଗୁଁ ବାରି ହୋଇ ପାରି ନ ଥିବ।

Image Courtesy of TOI

ଚୋରମାନେ ସମ୍ଭବତଃ ବ୍ୟାଙ୍କ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାର ପୋଜିସନ୍‌ ବିଷୟରେ ଅବଗତ ଥିଲେ। କାରଣ ତାହାକୁ ସେମାନେ ଭାଙ୍ଗି ପକାଇଥିଲେ।। ବ୍ୟାଙ୍କ୍‌ର କୌଣସି ବ୍ୟକ୍ତି ଯେ ଏଥିରେ ସମ୍ପୃକ୍ତ ନାହାନ୍ତି, ସେ କଥାକୁ ପୁଲିସ ଏଡ଼ାଇ ଦେଇ ପାରୁ ନାହିଁ। ମ୍ୟାନେଜର୍‌ ଏବଂ ସିକ୍ୟୁରିଟି ଗାର୍ଡଙ୍କ ସମେତ ବ୍ୟାଙ୍କର ନଅ ଜଣ ବ୍ୟାଙ୍କ୍‌ କର୍ମଚାରୀମାନଙ୍କ ଠିକଣା ଯାଞ୍ଚ କରାଯାଉଛି।

ଦୁଇଟି କବାଟର ତାଲା ଭାଙ୍ଗି ଚୋରମାନେ ବେସ୍‌ମେଣ୍ଟ୍‌ରେ ପ୍ରବେଶ କରିଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ବେସ୍‌ ମେଣ୍ଟ୍‌ରେ ପାଖକୁ ପାଖ ଦୁଇଟି ସେଫ୍‌ ରହିଥିଲା। ଗୋଟିଏ ସେଫ୍‌ରେ ନଗଦ ଟଙ୍କା ଥିବାବେଳେ ଅନ୍ୟଟିରେ ଥିବା ଲକର୍‌ରେ ଥିଲା ଗହଣା।

ସେଫ୍‌ କାଟିବାକୁ ଅଭିଯୁକ୍ତମାନେ ଆଠଟି ସିଲିଣ୍ଡର୍‌ ବ୍ୟବହାର କରିଥିଲେ। ଏହା କୁଶଳୀ କାରିଗରଙ୍କର କାର୍ଯ୍ୟ ବୋଲି ପୁଲିସ କହୁଛି। ସେଫ୍‌ ଭାଙ୍ଗିବାକୁ ସେମାନେ ହ୍ୟାଣ୍ଡ୍‌ଲ୍‌ ଉପରକୁ ଗୋଟିଏ ଏବଂ ହ୍ୟାଣ୍ଡ୍‌ଲ୍‌ ତଳକୁ ଗୋଟିଏ କଣା କରିଛନ୍ତି। ଏଥିପାଇଁ ସମୁଦାୟ ଆଠ ଘଣ୍ଟା ସମୟ ଲାଗିଥିବ।

Image Courtesy of TOI

ସୋମବାର ସକାଳେ ଚୋରି ଘଟଣା ବ୍ୟାଙ୍କ୍‌ କର୍ମଚାରୀମାନଙ୍କ ଦ୍ୱାରା ଜଣା ପଡ଼ିଥିଲା। ଚୋରି କରାଯିବା ପରେ ଗାତଗୁଡ଼ିକୁ ବନ୍ଦ କରାଯାଇଛି। ଘଟଣାସ୍ଥଳରୁ ପୁଲିସ ପ୍ରମାଣ ସଂଗ୍ରହ କରିଛି। ଲକରେ ଥିବା ମୂଲ୍ୟବାନ ଜିନିଷର ତାଲିକା ପ୍ରସ୍ତୁତ କରିବାକୁ ଗ୍ରାହକମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର