ରେଓ୍ଵା: ମଧ୍ୟପ୍ରଦେଶର ରେଓ୍ଵାର ଜିଲ୍ଲା ଜଜ୍ଙ୍କ ବାସଭବନ ପରିସରରେ ଚଢ଼ାଉ କରି ପାଞ୍ଚଜଣିଆ ଚୋର ଦଳ ଚାରିଟି ଚନ୍ଦନଗଛ କାଟି ତା’ର ଗଡ଼ ନେଇ ପଳାଇଥିବା କଥା ପୁଲିସ ଶନିବାର ଦିନ କହିଛି।
ଗୁରୁବାର ଓ ଶୁକ୍ରବାର ରାତିରେ ଘଟଣାଟି ଘଟିଛି। ଜଜ୍ଙ୍କ ପହରାଦାର ପୁଲିସକୁ ଚୋରମାନେ ବନ୍ଧୁକ ଦେଖାଇ ଡରାଇ ଗଛଗୁଡ଼ିକୁ କାଟି ପକାଇଥିଲେ। ଏ ବିଷୟରେ ପୁଲିସ ଜଗୁଆଳ ବୁଦ୍ଧି ଲାଲ୍ କୋଲ୍ ଥାନାରେ ଏତଲା ଦେଇଛନ୍ତି।
ସିଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଶିବେନ୍ଦ୍ର ସିଂହ ଗଣମାଧ୍ୟମକୁ କହିଛନ୍ତି, ଅଭିଯୋଗ ଅନୁସାରେ, ନଭେମ୍ବର ୧୪-୧୫ ରାତିରେ ଜଣେ ଚୋର ସିଭିଲ୍ ଲାଇନ୍ରେ ତିବା ଡିଷ୍ଟ୍ରିକ୍ଟ୍ ସେସନ୍ ଜଜ୍ ଅରୁଣ କୁମାର ସିଂହଙ୍କ ବଙ୍ଗଳାରେ ପ୍ରବେଶ କରିଥିଲା। ସେ କୋଲ୍ଙ୍କୁ ଗୋଟାଏ ଦେଶୀ ପିସ୍ତଲ ଦେଖାଇ ଡରାଇଥିଲଶ। ପରେ ତା’ର ଅନ୍ୟ ଚାରିଜଣ ସହଯୋଗୀ ଆସି ଯୋଗ ଦେଇଥିଲେ ଗାର୍ଡଙ୍କୁ ପଣବନ୍ଦୀ ରଖିଥିଲେ।
ଦଶ ମିନିଟ ମଧ୍ୟରେ ଅଭିଯୁକ୍ତମାନେ ଚନ୍ଦନଗଛ କାଟିପକାଇ ତା’ର ଗଡ଼ ନେଇ ଚାଲିଯାଇଥିଲେ। ଘଟଣା ଘଟିବା ବେଳେ କୋଲ୍ଙ୍କ ସମେତ ସମୁଦାୟ ଚାରିଜଣ ଜଗୁଆଳ ବଙ୍ଗଳାର ଭିନ୍ନ ଭିନ୍ନ ସ୍ଥାନରେ ପହରା ଦେଉଥିଲେ। କିନ୍ତୁ, ଚୋରମାନେ କାହାର ଅନିଷ୍ଟ କରି ନାହାନ୍ତି।
ଘଟଣା ଘଟିବା ସମୟରେ ଜଜ୍ ଓ ତାଙ୍କ ପରିବାର ଶୋଇପଡ଼ିଥିଲେ।
ପୁଲିସର ସନ୍ଦେହ ହେଉଛି କି, ଅଭିଯୁକ୍ତମାନେ ଧୂପକାଠି ଓ ଅତର ପ୍ରସ୍ତୁତ ହେଉଥିବା ଉତ୍ତରପ୍ରଦେଶର କନ୍ନୌଜ ବାସିନ୍ଦା।
ସହରରୁ ଚନ୍ଦନଗଛ କାଟି ଚୋରାଇ ନେବା ଅଭିଯୋଗରେ ଅତୀତରେ ରେଓ୍ଵା ପୁଲିସ କନ୍ନୌଜର କେତେକ ଲୋକଙ୍କୁ ଗିରଫ କରିଥିଲା।
ଧୂପକାଠି ଓ ଅତର ତିଆରି କରିବାରେ ଚନ୍ଦନକାଠ ବ୍ୟବହାର ହୁଏ। ଜଜ୍ଙ୍କ ବାଡ଼ିରୁ ଚୋରି ହୋଇ ଯାଇଥିବା ଗଛର ମୂଲ୍ୟ ପ୍ରାୟ ୩ ରୁ ୫ ଲକ୍ଷ ଭଳି ଟଙ୍କା ହେବ।
ଏ ଘଟଣାରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ତଲାସ ଆରମ୍ଭ କରିଛି।