ଶଳା ଭିଣୋଇଙ୍କୁ ମାଡ଼ ମାରି ୩ ଗିରଫ

ଖଣ୍ଡଗିରି : ମଙ୍ଗଳବାର ଅପରାହ୍ଣରେ ଜଗମୋହନନଗର ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମାଡ଼ ମାରିବା ସହ ଜଣଙ୍କୁ ଉଠାଇନେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ତାରିଣୀ ବସ୍ତିର ପ୍ରସନ୍ନ କୁମାର ସାହୁ(୨୦), ତା’ ବଡ଼ ଭାଇ ସୁଶାନ୍ତ ସାହୁ(୨୩) ଓ ପର୍‌ଭେଜ୍‌ ହୁସେନ୍‌(୨୩)। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ପ୍ରାୟ ୪ ଜଣ ଫେରାର୍‌ ଥିବା ପୁଲିସ ସୂଚନା ଦେଇଛି। ଡୁମୁଡୁମା ହାଉସିଂ ବୋର୍ଡ କଲୋନିରେ ରହୁଥିବା ସାଗର ମିଶ୍ର ଓ ତାଙ୍କ ଶଳା ସଂଜୀବ ରଥ ଗତକାଲି ଅପରାହ୍ଣ ପ୍ରାୟ ୪ଟାବେଳେ ଜଗମୋହନନଗର ରାସ୍ତାରେ ଘରକୁ ଫେରୁଥିଲେ। ସେମାନେ ପଞ୍ଚସଖାନଗର ଠାରେ ପହଞ୍ଚିଥିବାବେଳେ ପ୍ରାୟ ୭ ଜଣ ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ଦୁଇଜଣଙ୍କୁ ମାଡ଼ ମାରିବା ସହ ସାଗରଙ୍କୁ ସେଠାରେ ତଳେ ପକାଇ ସଂଜୀବଙ୍କୁ ଟେକି ନେଇପଳାଇଥିଲେ। ତୁରନ୍ତ ସାଗର ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରି ଜଣାଇଥିଲେ ଓ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଗଣ୍ଡମୁଣ୍ଡା ହାଟ ନିକଟରେ ପହଞ୍ଚି ଥିଲା। ସେଠାରୁ ପୁଲିସ ସଂଜୀବଙ୍କୁ ଉଦ୍ଧାର କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅନ୍ୟମାନେ ପୁଲିସ ଆସିବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର