୩ ଗିରଫ, ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୁଲିସ

ବାଣୀବିହାର ଛକରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ବୁଧବାର ଅପରାହ୍ଣ ସାଢ଼େ ୧ଟା ସମୟରେ ବୁଲୁ ଭୋଇ ନାମକ ଜଣେ ଯୁବକଙ୍କୁ ବାଣୀବିହାର ଟ୍ରାଫିକ୍‌ ନିକଟରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣାରେ ସହିଦନଗର ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ନାବାଳକ ଥିବାବେଳେ ଅନ୍ୟ ଯୁବକ ଜଣଙ୍କ ହେଲା ବିକ୍ରମ କେଶରୀ ପ୍ରଧାନ(୧୮)। ତେବେ ସମସ୍ତ ଅଭିଯୁକ୍ତ ଭିଏସ୍‌ଏସ୍‌ ନଗର ଅଞ୍ଚଳର। ପୁଲିସ ନାବାଳକ ଦ୍ୱୟଙ୍କୁ ବାଳସୁଧାର ଗୃହକୁ ପଠାଇ ଦେଇଥିବା ବେଳେ ବିକ୍ରମକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ପପୁ ପରିଡ଼ା, ଚିଆଁ, ସୁସମ୍ବିତ ଓ ରକି ଏବେବି ଫେରାର୍‌ ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ପ୍ରକାଶ ଥାଉ କି, ଭିଏସ୍‌ଏସ୍‌ନଗର ସ୍ଥିତ ଏକ ସ୍କୁଲ୍‌ର ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିବା ଯୁବକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ବୁଧବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଛାତ୍ରୀଙ୍କୁ ନେଇ ସ୍କୁଲର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁବତୀଙ୍କୁ ଭଲ ପାଉଥିବା ଯୁବକଙ୍କୁ କେତେକ ଛାତ୍ର ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ଫୋନ୍‌ ପାଇବା ମାତ୍ରେ ୪ଟି ବାଇକ୍‌ରେ ୧୦ଜଣ ଦୁର୍ବୃତ୍ତ ସ୍କୁଲରେ ପହଞ୍ଚିଥିଲେ। ସେହିପରି ଅନ୍ୟଗୋଷ୍ଠୀର ଛାତ୍ରମାନେ ବୁଲୁଙ୍କୁ ଫୋନ୍‌କରି ଜଣାଇଥିଲେ। ବୁଲୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ପରିସ୍ଥିତି ଜଟିଳ ହେବାରୁ ବୁଲୁ ସହିଦନଗର ଥାନାରେ ଅଭିଯୋଗ କରିବାକୁ ଆସୁଥିଲେ। ତେବେ ଦୁର୍ବୃତ୍ତମାନେ ୪ଟି ବାଇକ୍‌ରେ ବୁଲୁଙ୍କୁ ପିଛା କରି ବାଣୀବିହାର ଛକ ପର୍ଯ୍ୟନ୍ତ ଆସିଥିଲେ। ଠିକ ବାଣୀବିହାର ଟ୍ରାଫିକ୍‌ର ୧୦ ମିଟର ପୂର୍ବରୁ ସେଠାରେ ଥିବା ମା’ ମଙ୍ଗଳା ହୋଟେଲ୍‌ ସମ୍ମୁଖରେ ଦୁର୍ବୃତ୍ତମାନେ ବୁଲୁଙ୍କୁ ପଛରୁ ଆକ୍ରମଣ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଲୁଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଏନେଇ ବୁଲୁଙ୍କ ଭାଇ ସିଲୁ ଭୋଇ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ସମ୍ବନ୍ଧିତ ଖବର