ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ,୧୫ ମୋବାଇଲ ଜବତ

ଧଉଳି: ଧଉଳି ଥାନା ପୁଲିସ ମୋବାଇଲ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସହିଦନଗର ଥାନା ଅଧୀନ ଶାନ୍ତିପଲ୍ଲୀ ବସ୍ତିର ଗୋପି ଦାସ ( ୨୦ ), ଲିପୁନ ଓରଫ ସୂର୍ଯ୍ୟପ୍ରକାଶ ସ୍ବାଇଁ (୨୧) ଏବଂ ଉକ୍ତ ଥାନା ଅଧୀନ ମୁଣ୍ଡାସାହି ବସ୍ତିର ବୀର ସିଂହ ତିରିଆ (୨୧) । ସେମାନଙ୍କ  ନିକଟରୁ ପୁଲିସ ଲକ୍ଷାଧିକ ଟଙ୍କାର ୧୫ଟି ଦାମୀ ଚୋରି ମୋବାଇଲ ଫୋନ ଜବତ କରିଛି । ଜାମିନ ଦାମଂଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।  ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମୋବା‌ଇଲ ଲୁଟ ମାମଲା ରହିଛି ।

ଧଉଳି ଶାନ୍ତିସ୍ତୁପ ବୁଲିବାକୁ ଆସିଥିବା ବେଳେ କଥା ହୋଇ ଯାଉଥିବା ପର୍ଯ୍ୟଟକଙ୍କ ହାତରୁ ମୋବାଇଲ ଫୋନ ଝାମ୍ପି ନେଇଛନ୍ତି ତ ଆଉ କାହାର ଝରକା ପାଖରେ ଥିବା ମୋବାଇଲ ଫୋନ ଓ ପର୍ସ ଲୁଟି ନେଇଥିବା କୁହାଯାଇଛି । ସେହିପରି ଜାତୀୟ ରାଜପଥରେ ଫୋନରେ କଥା ହୋଇ ଯାଉଥିବା ପଥଚାରୀଙ୍କୁ ପିଛାକରି କରି  ମୋବାଇଲ ଝାମ୍ପି ନେଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି । ଗୋପୀ , ଲିପୁନ ଓ ବୀର ସିଂହ ନାମରେ ଧଉଳି ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି ।

ମୋବାଇଲ ଲୁଟ ସଂପର୍କରେ ପୂର୍ବରୁ ଅଦେକ ଲୋକ ଧଉଳି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଆଇଏମଇଆଇ ଆଧାରରେ ଫୋନ ଟ୍ରାକିଂ କରି ପୁଲିସ ସେମାନଙ୍କୁ ଗିରଫ କରିଥିଲା । ଆଇଏମଇଆଇ ନମ୍ବର ଆଧାରରେ ସେମାନେ ବ୍ୟବହାର କରୁଥିବା ଗୋଟିଏ ମୋବାଇଲ ଜବତ କରିବା ପରେ ବାକି ଅନ୍ୟ ସବୁ ମୋବାଇଲ ଫୋନ ଜବତ ହୋଇଥିଲା । ଧଉଳି ଥାନାରେ ଏନେଇ ୧୪୭/୨୦ ଓ ୧୫୦/୨୦ ରେ ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା । ଧଉଳି ଥାନା  କେସ ନଂ ୧୪୭ / ୨୦ ରେ ଚୋରିଯାଇଥିବା  ୫୦  ହଜାର ଟଙ୍କାର ୪ଟି ମୋବାଇଲ ମଧ୍ୟରୁ ୩ଟି ଜବତ କରାଯାଇଛି । ଅନ୍ୟ ମୋବାଇଲ ଫୋନଟିକୁ ଏଯାଏ ଜବତ କରାଯାଇ ପାରିନାହିଁ । ସେହିପରି ମାମଲା ନଂ ୧୫୦/୨୦ ରେ ବାକି ୨ଟି ମୋବାଇଲ ଫୋନ ଜବତ ହୋଇଛି । ଅନ୍ୟ ୧୦ଟି ମୋବଇଲ ଫୋନ ଅନ୍ୟାନ୍ୟ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ଉକ୍ତ ମୋବାଇଲ ଫୋନଗୁଡ଼ିକର ଆଇଏମଇଆଇ ଯାଞ୍ଚ କରିବାକୁ ସବୁ ଥାନାକୁ ଜଣାଇଦିଆଯାଇଥିବା ଜଣାପଡ଼ିଛି ।

ପୁଲିସ ସୂଚନା ମୁତାବକ ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ସଂପୃକ୍ତ ମୋବାଇଲ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଥିଲେ । ନୁଆଗାଁ , ଶିଶୁପାଳ ଓ ଧଉଳି ଅଞ୍ଚଳରେ ପଥଚାରୀଙ୍କ ହାତରୁ ମୋବାଇଲ ଝାମ୍ପି ନେବା ସହ ଝରକା ପାଖରୁ ଉଠାଇ ନେଉଥିଲେ । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲା । କିଛିଦିନ ଫୋନ ଅଫ କରି ରଖିବା ପରେ ପୁଣି  ଅନ କରି ଅପରାଧରେ ବ୍ୟବହୃତ କରିଥିଲେ । ଫଳରେ ଫୋନ ଟ୍ରାକିଂ କରି ପୁଲିସ ସେମାନଙ୍କ ପାଖ୍ରରେ ପହଞ୍ଚିବାରେ ସଫଳ ହୋଇଥିଲା ।

ସମ୍ବନ୍ଧିତ ଖବର