ସ୍କୁଲ ଘର ପାଲଟିଛି ଜୁଆଖେଳ ଆଡ୍ଡାସ୍ଥଳୀ: ୩ ଗିରଫ, ୧୭ ହଜାର ୭ ଶହ ଟଙ୍କା ଜବତ

ବାଲିଅନ୍ତା: ମହାମାରୀ କରୋନା ପାଇଁ ବନ୍ଦ ହୋଇପଡ଼ିଥିବା ସ୍ଥାନୀୟ ବଇଁଚୁଆ ହାଇସ୍କୁଲ ଏବେ ଜୁଆଖେଳର ଆଡ୍ଡାସ୍ଥଳୀ ପାଲଟିଛି । ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ପୁଲିସ ଟିମ ସହ ଦୀର୍ଘଦିନ ଧରି ଏଠାରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଅତର୍କିତ ଚଢ଼ଉ କରି ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ବଇଁଚୁଆ ଅଞ୍ଚଳର ବାବାଜୀ ସାହୁ (୪୦), ଚୈତନ୍ୟ ସାହୁ, କୈଳାଶ ସାହୁ (୩୦ ) ଏବଂ ସରୋଜ କୁମାର ବାରିକ (୩୨) । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି  ସୂଚନା ମିଳିଛି ।

ଘଟଣାସ୍ଥଳରୁ ପୁଲିସ ସେମାନଙ୍କ ନିକଟରୁ ୧୬ ହଜାର ୭୦୦ ଟଙ୍କା, ୩ଟି ଦାମୀ ମୋବାଇଲ ଫୋନ, ସୁନାମୁଦି, ଦୁଇଟି ସ୍କୁଟି ଓ ଗୋଟିଏ ଟାୱାଲ ଜବତ କରାଯାଇଛି । ପୁଲିସ ଚଢ଼ଉ ସମୟରେ ଆଉ କିଛି ଯୁବକ ଖସିପଳାଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ କରୋନା ପାଇଁ ସ୍କୁଲ ବନ୍ଦ ହେବା  ପରେ ଏଠାରେ ଦୀର୍ଘ  ୭ ମାସ ହେବ ଜୁଆ ଖେଳ ଚାଲିଥିଲା । ଏମିତିକି ସ୍କୁଲ ବାରଣ୍ଡା ଅସାମାଜିକ ଯୁବକଙ୍କ ଓପନ ପାର ପାଲଟିଥିଲା । ବିଳମ୍ବିତ ରାତି ଯାଏ ନିଶାଡ଼ିକ ଭିଡ଼ ଜମିବା ସହ ଜୁଆଖେଳ ଚାଲେ । ଆଜି କୌଣସି ସୂତ୍ରରୁ ଖବର ପାଇ ବାଲିଅନ୍ତା ଥାନା ପୁଲିସ ଚଢ଼ଉ କରି ବାବାଜୀ , ଚୈତନ୍ୟ ଓ କୈଳାଶକୁ କାବୁ କରି ନେଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ । ଏନେଇ ଥାନାରେ ୨୪୭/୨୦ ରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର