ରାୟଗଡ଼ା: ରାୟଗଡା ଜିଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତର ରେଗେଇସିଂ ଗ୍ରାମ ନିକଟ ଟାଙ୍କୁମରା ପାହାଡରେ ଡାନିଏଲ ଶବରଙ୍କୁ ଗତ ୧୮ ତାରିଖରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଟାସିଂ ପୁଲିସ ଏହି ଘଟଣାର ପର୍ଦାଫାସ କରି ଘଟଣାଟି ଗୁଣିଗାରେଡି ସଂଦେହରେ ହୋଇଥିବା ପ୍ରକାଶ କରିବା ସହ ବାପାର ହତ୍ୟା ପଛରେ ନିଜ ପୁଅ ହିଁ ଥିଲା ବୋଲି ଆଜି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଧର ମଙ୍ଗଳବାର ସଂଧ୍ୟାରେ ଗୁଣପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ହତ୍ୟା ଘଟଣାରେ ପୁଟାସିଂ ପୁଲିସ ଘଟଣାରେ ସଂପୃକ୍ତ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରି ବିଚାର ବିଭାଗିୟ ହାଜତକୁ ପଠାଇଦେଇଛି।
ଏସପି ଶ୍ରୀ ଧରଙ୍କ ସୂଚନାନୁସାରେ ଅଭିଯୋଗକାରୀ ଡାନିଏଲଙ୍କ ପୁତ୍ର ଆନ୍ଦ୍ରିୟ ଶବର ତାର ଭାଉଜ ଅନିତା ଏବଂ କମଲେଶ ଶବର ୩ ଜଣ ହତ୍ୟା ପାଇଁ ଷଡଯନ୍ତ୍ର କରିବା ସହ ଧାରୁଆ ଅସ୍ତ୍ରରେ କ୍ଷତବିକ୍ଷତ କରି ହତ୍ୟା କରିଥିଲେ। ଡାନିଏଲ ଶବର ୩୦ ବର୍ଷ ତଳେ ଦାସୁରି ଶବରଙ୍କୁ ବିବାହ କରିଥିଲେ। ସେମାନଙ୍କ ଦୁଇଟି ପୁଅ ଯଥା ଫିଲିପ ଶବର ଏବଂ ଆନ୍ଦ୍ରିୟ ଶବର। ଏହି ସମୟ ମଧ୍ୟରେ ଡାନିଏଲ ଶବର ଆସାମକୁ ଶ୍ରମିକ କାମକୁ ଯାଇଥିବାବେଳେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ।
ଆସାମର ଅଞ୍ଚଳର ବିବାହ ହୋଇଥିବା ମହିଳାଙ୍କ ପଟୁ ଦୁଇଟି ପୁଅ ଏବଂ ଦୁଇଟି ଝିଅ ଜନ୍ମ ହୋଇଥିଲେ। ସେମାନେ ସମସ୍ତେ ମିଳିମିଶି ରହୁଥିଲେ। ହେଲେ କିଛି ବର୍ଷ ପରେ ସେମାନଙ୍କ ପରିବାରରେ ବିବାଦ ଦେଖାଦେଇଥିଲା ଏବଂ ଡାନିଏଲ ପ୍ରଥମ ପତ୍ନି ଦାସୁରିଙ୍କୁ ଘରୁ ବାହାର କରିଦେଇଥିଲେ।
ଦାସୁରି ଏବଂ ତାର ଦୁଇ ପୁଅ ଫିଲପ ଓ ଆନ୍ଦ୍ରିୟ ବାହାରେ ରହି ବହୁ କଷ୍ଟରେ ଚଳୁଥିଲେ। ଡାନିଏଲ ସେମାନଙ୍କର କୌଣସି ଦେଖାଶୁଣା କରିନଥିଲେ। ଏପରି ଘଟଣା କ୍ରମ ମଧ୍ୟରେ ଦେଢ ବର୍ଷ ତଳେ ଅଭିଯୁକ୍ତଙ୍କ ଭାଇ ଫିଲିପ ଙ୍କ ହଠାତ ମୃତ୍ୟୁ ହୋଇଥିଲା। ଡାନିଏଲ ଗୁଣି ଗାରେଡି କରିବାରୁ ଫିଲିପଙ୍କ ମୃତ୍ୟୁ ହୋଇଥିବା ସଂଦେହ ହୋଇଥିଲା କାରଣ ଘରେ ଫିଲିପର ମୃତ ଦେହ ପଡ଼ିଥିବାବେଳେ ତାଙ୍କ ବାପା ଡାନିଏଲ ଜୋରରେ ଗୀତ ପକାଇ ନାଚ କରିଥିଲେ। ସେହି ସମୟରେ ଆନ୍ଦ୍ରିୟ ରାଗରେ ତମତମ ହୋଇ ନିରବ ରହି ଘଟଣା ଦେଖୁଥିଲେ। ଏପରିକି ଗତ କିଛି ଦିନ ତଳେ ଡାନିଏଲ ତାଙ୍କ ପତ୍ନି ଦାସୁରି ଏବଂ ପୁତ୍ର ଆନ୍ଦ୍ରିୟ କୁ ମଧ୍ୟ ହତ୍ୟା କରିବ ବୋଲି ଶୁଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/08/sCrHAznFSPe0sEhkOE0a.jpg)