ଦୁଇ ଅନ୍ତଃରାଜ୍ୟ ଡକାୟତ ସହ ୩ ଗିରଫ, କାର-ପିସ୍ତଲ ଜବତ

ଫୁଲବାଣୀ: ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ଫୁଲବାଣୀ ପୁଲିସ। ଦୁଇ ଅନ୍ତଃରାଜ୍ୟ ଡକାୟତ ସହ ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ୨ ଜଣ ଫେରାର ହୋଇଯାଇଛନ୍ତି। ଡକାୟତଙ୍କ ନିକଟରୁ ପୁଲିସ ଗୋଟିଏ କାର, ଗୋଟିଏ ପିସ୍ତଲ,୧୨ ରାଉଣ୍ଡ ଗୁଳି, ଗୋଟିଏ ଛୁରି, ୨ଟି ମନିଫର୍ସ, ୩ଟି ମୋବାଇଲ, ୨ଟି ଲୁହାରଡ ଓ ନଗଦ ୫ ହଜାର ୩୪୦ ଟଙ୍କା ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ଡକାୟତ ଦଳର ଟାର୍ଗେଟ ରହିଥିଲା ଗଂଜେଇ ଗାଡ଼ି। ବଡ଼ ଗାଡି କିମ୍ବା ମୋଟର ସାଇକେଲରେ ଯାଉଥିବା ଚାଲାଣକାରୀଙ୍କୁ ପିସ୍ତଲ ଦେଖାଇ ଓ ମାରଣାସ୍ତ୍ରରେ ଆକ୍ରମଣ କରି ଗଂଜେଇ ସହ ଗାଡି ନେବା ଦଳର ଯୋଜନା ରହିଥିଲା। ଯୋଜନା ମୁକାବକ ପଶ୍ଚିମବଙ୍ଗର ମଜାଫର ଅହମ୍ମଦ(୧୯) ଓ ମାଫିକୁଲ ଶେଖ(୨୭) ଆସି ଫୁଲବାଣୀ ସହରର ଏକ ହୋଟେଲରେ ୨ ଦିନ ପୂର୍ବେ ପହଞ୍ଚିଥିଲେ। ସେମାନଙ୍କ ସହ ସାଥୀ ହୋଇଥିଲେ ଫିରିଙ୍ଗିଆ ଅଞ୍ଚଳର ମଳୟ କହଁର, ମିଥୁନ ଦିଗାଲ ଓ ତାର ଜଣେ ସାଙ୍ଗ।

ଗତକାଲି ସଂଧ୍ୟାରେ ଏହି ୫ ଜଣ ଫୁଲବାଣୀରୁ ଗୋଛାପଡା ଯିବା ରାସ୍ତା ପଟାବାଲି ସାହି ପୋଲ ନିକଟରେ ରହି ଡକାୟତି ପାଇଁ ଯୋଜନା ଚଳାଇଥିଲେ। ବିଶେଷ ସୁତ୍ରରୁ ଖବର ପାଇ ଫୁଲବାଣୀ ଟାଉନ ଥାନାଧିକାରୀ ନରେଶ କୁମାର ସାହୁଙ୍କ ନେତୃତ୍ୱବରେ ସେଠାରେ ଚଢ଼ାଉ କରାଯାଇଥିଲା। ପୁଲିସ ମଜାଫର, ମାଫିକୁଲ ଓ ମଳୟ କହଁରଙ୍କୁ ଧରିବାରେ ସଫଳ ହୋଇଥିଲା। ହେଲେ କୌଶଳକ୍ରମେ ମିଥୁନ ଦିଗାଲ ଓ ତାର ସାଙ୍ଗ ସେଠାରୁ ପଳାଇ ଯାଇଥିଲେ। ଏହି ଚଢ଼ାଉରେ ଏସ୍‌ଆଇ ଦୀପକ ସାମନ୍ତରାୟ, ହାବିଲଦାର ରାମଚନ୍ଦ୍ର ନାୟକ, କନେଷ୍ଟବଳ ସନ୍ତୋଷ ସ୍ୱାଇଁଙ୍କ ସମେତ ଏପିଆର ଫୋର୍ସ ସାମିଲ ଥିଲେ।

ଫେରାର ୨ ଡକାୟତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ଥାନାଧିକାରୀ କହିଛନ୍ତି। ଏହି ଡକାୟତି ଗ୍ୟାଙ୍ଗ କେଉଁ ସବୁ ଘଟଣାରେ ସଂପୃକ୍ତ ଓ ସେମାନଙ୍କ ଅନ୍ୟ ଡକାୟତ ଦଳ ସହ ଲିଙ୍କ ଅଛି କି ନାହିଁ, ସେନେଇ ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର