କୋଭିଡ୍‌ ଆରୋଗ୍ୟକାରୀ ବଟିକା ନାଁରେ ବିଷ ଦିଆଯିବାରୁ ୩ଜଣ ମୃତ; ୨ ଗିରଫ

ଏରୋଡ଼: କୋଭିଡ୍‌-୧୯ ଆରୋଗ୍ୟକାରୀ ବଟିକା ନାଁରେ ବିଷ ଦିଆଯିବାରୁ ତାମିଲନାଡୁର ଏରୋଡ଼ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ କୀଝବାଣୀ ଗ୍ରାମର ୪୩ ବର୍ଷୀୟ ଆର୍‌ କଲ୍ୟାଣସୁନ୍ଦରମ୍‌ କରୁଗୌଡ଼ାନବଲସୁ ଗ୍ରାମର କରୁପ୍ପାନକୌନ୍ଦରଙ୍କ ଠାରୁ କିଛି ମାସ ୧୫ ହଜାର ଟଙ୍କା କରଜ ନେଇଥିଲେ। ଋଣ ପରିଶୋଧ କରିବାକୁ ସେ ଅସମର୍ଥ ଥିବାବେଳେ ଉଧାରଦାତା ବାରମ୍ବାର ଟଙ୍କା ମାଗୁଥିଲେ। ଏଥିରୁ ନିସ୍ତାର ପାଇବା ଲାଗି କଲ୍ୟାଣ ସୁନ୍ଦରମ୍ ୨୫ ବର୍ଷୀୟ ସାବରୀଙ୍କ ସହଯୋଗ ଲୋଡ଼ିଥିଲେ। ଟେମ୍ପରେଚର୍‌ ଗନ୍‌, ପଲ୍‌ସ୍‌ ଅକ୍ସିମିଟର ଏବଂ ଅନ୍ୟାନ୍ୟ ଉପକରଣ ଧରି ସାବରୀ ସ୍ବାସ୍ଥ୍ୟ କର୍ମଚାରୀ ପୋଷାକ ପିନ୍ଧି କରୁପ୍ପାନକୌନ୍ଦରଙ୍କ ଚାରିଜଣିଆ ପରିବାରକୁ ବିଷ ବଟିକା ଦେଇଥିଲେ। ତା’ପୂର୍ବରୁ ସେ ସେମାନଙ୍କୁ ଜ୍ବର କିଂବା କାଶ ହେଉଛି କି ନାହିଁ ପଚାରି ବୁଝିଥିଲେ। ତା’ପରେ କୋଭିଡ୍-୧୯ ଇମ୍ୟୁନିଟି ବୁଷ୍ଟ୍‌ କରିବ ବୋଲି କହି ସେମାନଙ୍କୁ ଉକ୍ତ ବଟିକା ଦେଇଥିଲେ।

Image Courtesy of Health World

ସେ ବଟିକା ଖାଇ କରୁପ୍ପାନକୌନ୍ଦର, ତାଙ୍କ ପତ୍ନୀ ମଲ୍ଲିକା, ଝିଅ ଦୀପା ଏବଂ ଚାକରାଣୀ କୁପ୍ପଲ ଅଚେତ ହୋଇଯାଇଥିଲେ। ଏକଥା ଦେଖି ପଡ଼ୋଶୀମାନେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ।

ଡାକ୍ତରଖାନା ଯିବା ବାଟରେ ମଲ୍ଲାକାଙ୍କର ମୃତ୍ୟୁ ଘଟିଥିଲା, ତହିଁ ଆର ଦିନ ଦୀପା ଓ କୁପ୍ପଲଙ୍କର ମୃତ୍ୟୁ ହୋଇଥିଲା। ଏବେ କରୁପ୍ପାନକୌନ୍ଦରଙ୍କ ସଙ୍କଟଜନକ ପରିସ୍ଥିତିରେ ଅଛନ୍ତି।

ଉଭୟଙ୍କ ବୟାନରେ ତାଳମେଳ ନ ରହିବାରୁ ରବିବାର ରାତିରେ ପୁଲିସ କଲ୍ୟାଣସୁନ୍ଦରମ୍ ଏବଂ ସାବରୀଙ୍କୁ ଗିରଫ କରି ପେରୁନ୍ଦୁରାଇ ସବ୍‌-କୋର୍ଟର ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଇଥିଲା। ସେ ସେମାନଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର