ଡକାୟତି ଉଦ୍ୟମ ପଣ୍ଡ, ୩ ଗିରଫ : ଦୁଇ ବାଇକ, ଅଫୁଟା ବୋମା, ବନ୍ଧୁକ ଜବତ

ବାଲିଅନ୍ତା : ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ଉ କରି ବାଲିଅନ୍ତା ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ତିରଣପଦା ଗ୍ରାମର ପିଣ୍ଟୁ ଓରଫ ପ୍ରସନ୍ନ ଦାସ (୨୩), କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୂର୍ବକଚାର ଜିତୁ ପ୍ରକାଶ ହୋତା (୩୭) ଓ ବହୁଗ୍ରାମର ମିଟୁ ଓରଫ ପ୍ରଦୀପ କୁମାର ସାମଲ (୨୬)। ହେଲେ ଘଟଣାସ୍ଥଳରୁ ଗ୍ୟାଙ୍ଗର ଅନ୍ୟ ୩ ଜଣ ଖସି ପଳାଇଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୁଲିସ ଘଟଣାସ୍ଥଳରୁ ୨ଟି ବାଇକ, ସମେତ ୨ଟି ଅଫୁଟା ବୋମା, ଗୋଟିଏ ଦେଶୀ ବନ୍ଧୁକ, ୩ଟି ମୋବାଇଲ ଫୋନ୍‌, ଲୁହାରଡ୍‌, ଚାପଡ଼ ଏବଂ କଟୁରି ଜବତ କରିଛି। ରବିବାର ରାତିରେ ସେମାନେ ପାହାଳ ଫାଣ୍ଡି ଅଧୀନ ଖାରବେଳ ଇଷ୍ଟେଟ ସମେତ ଅନ୍ୟ ୩ ସ୍ଥାନରୁ ଡକାୟତି ପାଇଁ ଯୋଜନା ଚଳାଇଥିଲେ। ବାଲିଅନ୍ତା ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କ ସୂଚନା ମୁତାବକ ବୁଧବାର ଅପରାହ୍ଣରେ ପାହଳ ଫାଣ୍ଡି ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ସହିତ ପାଟ୍ରୋଲିଂ କରୁଥିବା ସମୟରେ ୬ ଜଣ ଯୁବକ ମାରଣାସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ସଂପର୍କରେ ସୂଚନା ମିଳିଥିଲା। ପୁଲିସ ସେଠାରେ ଚଢ଼ଉ କରି ୩ ଜଣଙ୍କୁ କାବୁ କରିଥିବା‌ବେଳେ ଅନ୍ୟ ୩ ଜଣ ଖସି ପଳାଇଥିଲେ। ପିଣ୍ଟୁ ନାଁରେ ବାଲିଅନ୍ତା ଥାନାରେ ସର୍ବାଧିକ ୭ଟି ମାମଲା ରହିଛି।

ସମ୍ବନ୍ଧିତ ଖବର