ମାର୍କେଟ ବିଲ୍ଡିଂରେ ମୁଖାଧାରୀଙ୍କ ଆତଙ୍କ ଘଟଣା : ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ, ପ୍ରୀତମ୍ ଓ ଉଦିତ୍
ଭୁବନେଶ୍ୱର : ଚଳିତ ମାସ ୧୦ ତାରିଖ ସଂଧ୍ୟାରେ ମାର୍କେଟ୍ ବିଲଡିଂରେ ଗଣ୍ଡଗୋଳ ଘଟଣାରେ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଚିଣ୍ଟୁ, ପ୍ରୀତମ ଓ ଉଦିତ୍। ଗତକାଲି ଏହି ଅଭିଯୁକ୍ତମାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ମାର୍କେଟ ବିଲ୍ଡିଂରେ ଗଣ୍ଡଗୋଳ ପରେ ଏହି ୩ ଜଣ ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ। ସେମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଜୋରଦାର୍ ଉଦ୍ୟମ ଜାରି ରହିଥିଲା। ଶେଷରେ ଗତକାଲି ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୦ ତାରିଖ ସଂଧ୍ୟାରେ କେତେକ ମୁଖାପିନ୍ଧା ଯୁବକ ମାର୍କେଟ୍ ବିଲଡିଂରେ ଆତଙ୍କ ଖେଳାଇଥିଲେ। ଘଣ୍ଟା ଦୋକାନୀ ଅମୋଦ ଶାହାଙ୍କୁ ମାଡ଼ ମାରିବା ସହ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୧ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ୍ ଜବତ କରିଥିଲା। କିନ୍ତୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଚିଣ୍ଟୁ, ଗୋପୀ ଓ ପ୍ରୀତମ ପୁଲିସ ହାତରେ ଧରା ପଡ଼ିନଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବାକୁ କୋଲକାତା, ବିଶାଖାପାଟଣା, ହାଇଦ୍ରାବାଦ, ଛତିଶଗଡ଼ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରି ଆସିଥିଲା। ଚିଣ୍ଟୁ ଓ ପ୍ରୀତମ ସ୍ଥାନୀୟ ଅଞ୍ଚଳର ନାବାଳକମାନଙ୍କୁ ନିଶା ଖୁଆଇ ବିଭିନ୍ନ ଅପରାଧରେ ସଂପୃକ୍ତ କରାଉଥିବା ମଧ୍ୟ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ତେଣୁ ପୁଲିସ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଥିଲା।
ପ୍ରକାଶ ଥାଉ କି ଜଣେ ଯୁବତୀ ଓ ତାଙ୍କ ସାଙ୍ଗ ୟୁନିଟ-୨ ମାର୍କେଟ୍ ବିଲଡିଂକୁ କିଣାକିଣି କରିବାକୁ ଆସିଥିଲେ। ସେଠାରେ ଏକ ଘଣ୍ଟା କିଣାକୁ ନେଇ ଜଣେ ଉଠାଦୋକାନୀଙ୍କ ସହ ମୂଲଚାଲରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ଯୁବତୀ ଜଣକ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଉଠା ଦୋକାନୀମାନଙ୍କୁ ଛାଡ଼ି ଦେଇଥିଲା। ପରଦିନ କେତେକ ଯୁବକ ମୁହଁରେ ମୁଖା ପିନ୍ଧି ମାର୍କେଟ ବିଲ୍ଡିଂରେ ଉଠାଦୋକାନ ସବୁ ଭଙ୍ଗାରୁଜା କରିଥିଲେ। ଏପରିକି କେତେକ ଦୋକାନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।